ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ମତଗଣନା ଜାରି ରହିଛି। ସନ୍ଧ୍ୟା ସୁଦ୍ଧା ସଂପୂର୍ଣ୍ଣ ଫଳାଫଳ ଆସିଯିବ ବୋଲି ଆଶା କରାଯାଉଛି। ଏହାର ମଧ୍ୟରେ କିଛି ଆସନର ଫଳାଫଳ ଆସିଯାଇଛି, ଯେଉଁଥିରେ ବିଜେପିକୁ ସମର୍ଥନ ମିଳିଛି। ଆମ୍ ଆଦମୀ ପାର୍ଟି (ଆପ୍)କୁ ବଡ଼ ଝଟକା ଲାଗିଥିବା କୁହାଯାଉଛି। ଅନ୍ୟପଟରେ ବିଜେପି ଦିଲ୍ଲୀରେ ୨୭ ବର୍ଷ ପରେ ପଦ୍ମ ଫୁଟାଇଛି। ବିଜେପି କର୍ମୀମାନେ ଉତ୍ସାହ ପାଳନ କରୁଥିବା ବେଳେ ଆପ୍ କାର୍ଯ୍ୟାଳୟରେ ତାଲା ଝୁଲୁଛି।
ଆପ୍ କାର୍ଯ୍ୟାଳୟର ଭିତର ପାର୍ଶ୍ବରୁ ତାଲା ଝୁଲୁଛି। କାର୍ଯ୍ୟାଳୟ ଭିତର କିଛି ବଡ଼ବଡ଼ିଆ ନେତା ଅଛନ୍ତି। ବାହାର ଲୋକଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଦିଆଯାଉ ନାହିଁ। ଏପରିକି ଗଣମାଧ୍ୟମର ପ୍ରତିନିଧିଙ୍କୁ ମଧ୍ୟ ବାରଣ ହୋଇଛି।
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଦିଲ୍ଲୀ ନିର୍ବାଚନରେ ଆପ୍ ନିରାଶାଜନକ ପରାଜୟର ସମ୍ମୁଖୀନ ହୋଇଛି। ଆପ୍ ତାର ଦଳୀୟ କାର୍ଯ୍ୟାଳୟରେ ପ୍ରବେଶ ନିଷେଧ କରିଛି ଏବଂ ଏହାକୁ ଭିତରୁ ତାଲା ପକାଇ ଦେଇଛି। କେବଳ କିଛି ଦଳୀୟ ପଦାଧିକାରୀଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।
ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଭଳି ନେତାଙ୍କୁ ପରାଜୟର ଶିକାର ହେବାକୁ ପଡ଼ିଛି। କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏହି ନିର୍ବାଚନରେ ବିଜୟୀ ହୋଇଛନ୍ତି। ସେ କାଲକାଜୀ ଆସନରୁ ନିର୍ବାଚନ ଜିତିଛନ୍ତି। ସେ ଦ୍ୱିତୀୟ ଥର ପାଇଁ ଏହି ଆସନରେ ବିଜୟୀ ହୋଇଛନ୍ତି। ସେ ନିର୍ବାଚନରେ ବିଜେପିର ରମେଶ ବିଧୁରୀଙ୍କୁ ପ୍ରାୟ ୩୦୦୦ ଭୋଟ୍ ବ୍ୟବଧାନରେ ପରାସ୍ତ କରିଛନ୍ତି।
ଅଧିକ ପଢ଼ନ୍ତୁ: ହାରିଲେ କେଜ୍ରିୱାଲ-ସିସୋଦିଆ; ବିଜୟ ଅଭିମୁଖେ ବିଜେପି