ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗତ ୫ ତାରିଖ ଦିନ ହୋଇଥିବା ମତଦାନର ଫଳାଫଳ ଆଜି ସନ୍ଧ୍ୟା ପୂର୍ବରୁ ସ୍ପଷ୍ଟ ହୋଇଯିବ। ଏଥି ପାଇଁ ଆଜି ପୂର୍ବାହ୍ଣ ୮ଟାରେ ମତଗଣନା ଆରମ୍ଭ ହୋଇଯାଇଛି। ଭୋଟ ଗଣତି ପାଇଁ ୧୯ଟି ଗଣତି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନରେ ମୋଟ ୬୯୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ନିର୍ଦ୍ଧାରଣ ହେବ। କଂଗ୍ରେସ ଓ ଆପ୍ ୭୦ଟି ଲେଖାଏଁ ଆସନରେ ପ୍ରାର୍ଥୀ ଦେଇଛନ୍ତି। ବିଜେପି ମୋଟ ୬୮ଟି ଆସନରେ ନିର୍ବାଚନ ଲଢ଼ିଥିଲା। ଏହାର ସହଯୋଗୀ ଜେଡିୟୁ ଓ ଏଲଜେପି (ରାମ ବିଳାସ) ଦୁଇଟି ଆସନରେ ନିର୍ବାଚନ ଲଢ଼ିଥିଲେ। ଟ୍ରେଣ୍ଡ୍ ୧୦ଟା ୩୦ ସୁଦ୍ଧା ଆସିବା ଆରମ୍ଭ କରିବ। ଅପରାହ୍ନ ୧ଟା ବେଳକୁ ଦିଲ୍ଲୀରେ କିଏ ସରକାର ଗଢ଼ିବ ତାହା ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।
ଦିଲ୍ଲୀର ୭୦ ଆସନ ବିଶିଷ୍ଟ ବିଧାନସଭା ଆସନ ପାଇଁ ଗତ ୫ ତାରିଖ ଦିନ ମତଦାନ ହୋଇଥିଲା। ଏଠାରେ ଆମ୍ ଆଦମୀ ପାର୍ଟି (ଆପ୍), ବିଜେପି ଏବଂ କଂଗ୍ରେସ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଆପ୍ ଏକ ଦଶନ୍ଧି ଧରି କ୍ଷମତାରେ ରହିଛି ଏବଂ ପୁଣି ଥରେ ଜିତିବାକୁ ଚାହୁଁଛି।
ସେପଟେ ବିଜେପି ୨୭ ବର୍ଷ ଧରି ବିଜୟ ମରୁଡ଼ିର ସମ୍ମୁଖୀନ ହୋଇ ଫେରିବା ପାଇଁ ପ୍ରୟାସ ଜାରି ରଖିଛି। କଂଗ୍ରେସ ଏକ ଦଶନ୍ଧି ଧରି କ୍ଷମତାରୁ ଦୂରରେ ରହିଛି ଏବଂ ନିର୍ବାଚନୀ ପ୍ରଚାରରେ ନିଜର ବିଜୟ ସୁନିଶ୍ଚିତ କରିବାକୁ ମଧ୍ୟ ଚେଷ୍ଟା କରିଛି।
ରାଜଧାନୀ ଦିଲ୍ଲୀରେ ଏମିତି କିଛି ଆସନ ରହିଛି ଯେଉଁଠି ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଛି। ସେଗୁଡ଼ିକ ହେଲା ନୂଆଦିଲ୍ଲୀ, କାଲକାଜୀ, ଜଙ୍ଗପୁରା, ପାଟପରଗଞ୍ଜ, ବାଦଲି, ଓଖଲା, ମୁସ୍ତାଫାବାଦ, କରାୱଲ ନଗର ଏବଂ ଗ୍ରେଟର କୈଳାସ। ଆପ୍ର ଅରବିନ୍ଦ କେଜ୍ରିୱାଲ, ଆତିଶୀ, ମନୀଷ ସିସୋଦିଆ, ସୌରଭ ଭରଦ୍ୱାଜ, ଏଆଇଏମଆଇଏମ୍ର ତାହିର ହୁସେନ, ବିଜେପିର ରମେଶ ବିଧୁରୀ, ପ୍ରବେଶ ବର୍ମା, କପିଲ ମିଶ୍ର, ମୋହନ ସିଂ ବିଷ୍ଟ ଏବଂ କଂଗ୍ରେସର ସନ୍ଦୀପ ଦୀକ୍ଷିତ ଏବଂ ଦେବେନ୍ଦ୍ର ଯାଦବଙ୍କ ଆସନ ଉପରେ ବିଶେଷ ଆଲୋଚନା ଚାଲିଛି।
୨୦୨୦ର ଫଳାଫଳରୁ ଜଣାପଡିଛି ଯେ ୨୦୨୦ ବିଧାନସଭା ନିର୍ବାଚନରେ ୬୨.୮୨ ପ୍ରତିଶତ ମତଦାନ ହୋଇଥିଲା। ଆପ୍ ୭୦ଟି ଆସନରୁ ୬୨ଟିରେ ବିଜୟୀ ହୋଇ ବିପୁଳ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିଥିବା ବେଳେ ବିଜେପି ମାତ୍ର ୧୦ଟି ଆସନରେ ସୀମିତ ରହିଥିଲା। କଂଗ୍ରେସ ଖାତା ଖୋଲିପାରିନଥିଲା।
ଅଧିକ ପଢ଼ନ୍ତୁ: ୨୭ ବର୍ଷ ପରେ ବିଜେପିର ପ୍ରତ୍ୟାବର୍ତ୍ତନ ନା ପୁଣି ଆପ୍ ସରକାର?