ଅହମଦାବାଦ: ଗୁଜରାଟରେ ପ୍ରବଳ ବର୍ଷା ଯୋଗୁଁ ପୁଣି ୧୯ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଗତ ୩ ଦିନରେ ମୃତ୍ୟୁ ସଂଖ୍ୟା ୩୦କୁ ବୃଦ୍ଧି ପାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୭,୮୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ପ୍ରଶାସନ, ଏନଡିଆରଏଫ, ଏସଡିଆରଏଫ, ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀ ସହାୟତାରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି।
ପାଣିପାଗ ବିଭାଗ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଗୁରୁବାର ୧୧ଟି ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରାଯାଇଥିବା ବେଳେ ୨୨ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୃତକମାନେ ଅହମ୍ମଦାବାଦ, ଜାମନଗର, ଦେବଭୂମି ଦ୍ୱାରକା, ପଞ୍ଚମହଲ, ଅରବଲ୍ଲୀ, ଡାଙ୍ଗ, ସୁରେନ୍ଦ୍ରନଗର, ଦାହୋଦ, ଖେଡା, ଭରୁଚ, ଆନନ୍ଦ, ମହିସାଗର, ଭଦୋଦରା, ଗାନ୍ଧୀନଗର ଏବଂ ମୋରବିରୁ ଆସିଛନ୍ତି।
କ୍ରମାଗତ ତୃତୀୟ ଦିନ ପାଇଁ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଗାନ୍ଧୀନଗରସ୍ଥିତ ବିପର୍ଯ୍ୟୟ ନିୟନ୍ତ୍ରଣ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ କରି ଜିଲ୍ଲାପାଳ, ମ୍ୟୁନିସିପାଲିଟି କମିଶନର ଓ ଉନ୍ନୟନ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଇଣ୍ଟରନେଟ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥାବାର୍ତ୍ତା ବିଷୟରେ ସୂଚନା ଦେଇଛନ୍ତି। ସିଏମ ପଟେଲ କହିଛନ୍ତି ଯେ ଗୁଜରାଟରେ ପ୍ରବଳ ବର୍ଷା ହେତୁ ସାମ୍ପ୍ରତିକ ପରିସ୍ଥିତି ଉପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି।
ସେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ପିଏମ ମୋଦୀ କେନ୍ଦ୍ରରୁ ସମସ୍ତ ସମ୍ଭାବ୍ୟ ସହାୟତାର ପ୍ରତିଶ୍ରୁତି ଦେଇଛନ୍ତି। ବିଶ୍ୱାମିତ୍ରୀ ନଦୀରେ ବନ୍ୟା ଯୋଗୁଁ ଭଦୋଦରାର ଅନେକ ତଳିଆ ଅଂଚଳ ଜଳମଗ୍ନ ହୋଇଛି। ୧୩୭ଟି ଜଳଭଣ୍ଡାର ଓ ହ୍ରଦ ଓ ୨୪ଟି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।
ପ୍ରବଳ ବର୍ଷା ଯୋଗୁଁ ବନ୍ଦେ ଭାରତ ଏକ୍ସପ୍ରେସ ସମେତ ମୁମ୍ବାଇ ଅଭିମୁଖେ ଯାଉଥିବା ୮ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ ରାସ୍ତା ଘାଟ ଓ ରେଳ ଧାରଣାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
ଅଧିକ ପଢ଼ନ୍ତୁ: ବରଗଡ଼-ନୂଆପଡ଼ା ରେଳ ପ୍ରକଳ୍ପକୁ ମିଳିଲା ଅନୁମୋଦନ