ନୂଆଦିଲ୍ଲୀ: ପଳାତକଙ୍କୁ ଭାରତ ଫେରାଇ ଆଣିବା ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଆହୁରି କଠୋର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଗୁରୁବାର ଦିନ ସିବିଆଇ ଦ୍ୱାରା ଆୟୋଜିତ 'ପଳାତକଙ୍କ ପ୍ରତ୍ୟର୍ପଣ - ଚ୍ୟାଲେଞ୍ଜ ଏବଂ ରଣନୀତି' ଶୀର୍ଷକ ସମ୍ମିଳନୀରେ ସେ କହିଛନ୍ତି ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ପଳାତକଙ୍କ ପାଇଁ ପ୍ରତ୍ୟେକ ରାଜ୍ୟରେ ସ୍ୱତନ୍ତ୍ର ଜେଲ୍ ନିର୍ମାଣ କରାଯାଉ।
ସେ ଏହା ମଧ୍ୟ କହିଛନ୍ତି ଯେ ଇଣ୍ଟରପୋଲ୍ ରେଡ୍ ନୋଟିସର ସମ୍ମୁଖୀନ ହେଉଥିବା ପଳାତକଙ୍କ ପାସପୋର୍ଟକୁ ତୁରନ୍ତ ବାତିଲ କରାଯାଉ। ଏମିତି ହେଲେ ସେମାନଙ୍କର ସୀମାପାର ଗତିବିଧି ବନ୍ଦ କରାଯାଇପାରିବ। ବିଦେଶୀ କୋର୍ଟରେ ସେମାନଙ୍କ ପ୍ରତ୍ୟର୍ପଣ ବିରୁଦ୍ଧରେ 'ଜେଲର ଖରାପ ଅବସ୍ଥା' ଭଳି ବାହାନାକୁ କାଉଣ୍ଟର ଆଟାକ୍ କରାଯାଇ ପାରିବ।
ଶାହ କହିଛନ୍ତି, ଯେ ପର୍ଯ୍ୟନ୍ତ ଆମେ ବିଦେଶରୁ ସେହି ପଳାତକ ଯେଉଁମାନେ ଭାରତୀୟ ଅର୍ଥନୀତି, ଆମର ସାର୍ବଭୌମତ୍ୱ ଏବଂ ଆମର ସୁରକ୍ଷାକୁ କ୍ଷତି ପହଞ୍ଚାଉଛନ୍ତି ସେମାନଙ୍କ ମନରେ ଭାରତୀୟ ନ୍ୟାୟିକ ବ୍ୟବସ୍ଥା ପ୍ରତି ଭୟ ସୃଷ୍ଟି ନ କରିଛୁ, ସେ ପର୍ଯ୍ୟନ୍ତ ଆମେ ଦେଶର ସୁରକ୍ଷା ସୁନିଶ୍ଚିତ କରିପାରିବୁ ନାହିଁ। ସେ କହିଛନ୍ତି ଆର୍ଥିକ ଅପରାଧ, ଆତଙ୍କବାଦ ଏବଂ ନିଶା କାରବାର ଭଳି ମାମଲାରେ ବିଭିନ୍ନ ଦେଶରେ ଭାରତରେ ୩୩୮ଟି ପ୍ରତ୍ୟର୍ପଣ ଅନୁରୋଧ ବିଚାରାଧୀନ ଅଛି। ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସି ଭଳି ପଳାତକ ଭାରତୀୟ ଜେଲର ପରିସ୍ଥିତିକୁ ଦର୍ଶାଇ ବିଦେଶୀ ଅଦାଲତରେ ପ୍ରତ୍ୟର୍ପଣକୁ ବିରୋଧ କରିଛନ୍ତି।
ଗୃହମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଯେ ରେଡ୍ ନୋଟିସ୍ ଜାରି ହେଲେ ପଳାତକଙ୍କ ପାସପୋର୍ଟକୁ ଏକ ୱାଚ୍ ଲିଷ୍ଟରେ ରଖାଯାଉ ଏବଂ ସେମାନଙ୍କ ଆନ୍ତର୍ଜାତୀୟ ଯାତ୍ରାକୁ ରଦ୍ଦ କରାଯାଉ। ଯଦି ଆମେ ଏହି ବ୍ୟବସ୍ଥାକୁ ସିଷ୍ଟମରେ ସାମିଲ କରିପାରିବା, ତେବେ ଏହା ପଳାତକଙ୍କୁ ଫେରାଇ ଆଣିବାରେ ସାହାଯ୍ୟ କରିବ। ସମ୍ମିଳନୀରେ ସମସ୍ତ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ସମ୍ବୋଧିତ କରି ଶାହା ପ୍ରତ୍ୟେକ ରାଜ୍ୟ ରାଜଧାନୀରେ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଏକ ସ୍ୱତନ୍ତ୍ର ଜେଲ୍ ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ।
ସେ କହିଛନ୍ତି, ପଳାତକମାନେ ବିଦେଶୀ ଅଦାଲତରେ ଯୁକ୍ତି ଦିଅନ୍ତି ଯେ ଭାରତୀୟ ଜେଲ୍ ମାନଦଣ୍ଡ ଅନୁଯାୟୀ ନୁହେଁ ଏବଂ ସେମାନଙ୍କର ମାନବାଧିକାର ସୁରକ୍ଷିତ ରହିବ ନାହିଁ। ମୁଁ ଏଥିରେ ସହମତ ନୁହେଁ, କିନ୍ତୁ ଯଦି ଏହା ଏକ ବାହାନା, ତେବେ ସେମାନଙ୍କୁ ଏହି ସୁଯୋଗ କାହିଁକି ଦିଆଯିବ?
Also read: ତାଲିବାନ ଉପରେ ସବୁ ନିର୍ଭର, ଅସ୍ତ୍ରବିରତିକୁ ନେଇ ନିବେଦନ କଲେ ପାକ୍ ପିଏମ ଶେହବାଜ ସରିଫ