ନୂଆ ଦିଲ୍ଲୀ: ରେଳ ମନ୍ତ୍ରଣାଳୟ ୩ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏଥିପାଇଁ ମୋଟ ୬ ହଜାର ୪୫୬ କୋଟି ଟଙ୍କା ବ୍ୟୟ ଅଟକଳର କରାଯାଇଛି । ଏଥିରେ ଦୁଇଟି ନୂଆ ରେଳ ଲାଇନ୍ ଓ ଗୋଟିଏ ମଲ୍ଟି ଟ୍ରାକିଂ ପ୍ରକଳ୍ପ ରହିଛି । ତେବେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ ପୂର୍ବରୁ ଭେଟି ଦେଇଛନ୍ତି କେନ୍ଦ୍ର ସରକାର । ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଛତିଶଗଡ଼ରେ ଏହି ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ୪ଟି ରାଜ୍ୟର ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ପ୍ରକଳ୍ପଗୁଡିକ ଭାରତୀୟ ରେଳବାଇର ବର୍ତ୍ତମାନର ନେଟୱାର୍କକୁ ପ୍ରାୟ ୩୦୦ କିଲୋମିଟର ବୃଦ୍ଧି କରିବ । ଏ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟିକୁ ବୁଧବାର ଅନୁମୋଦନ ମିଳିଛି । ଏହି ୩ଟି ପ୍ରକଳ୍ପଗୁଡିକ ସହିତ ୧୪ ଟି ନୂତନ ଷ୍ଟେସନ୍ ନିର୍ମାଣ ହେବ, ଯାହା ଦୁଇଟି ଆକାଂକ୍ଷୀ ଜିଲ୍ଲା (ନୂଆପଡ଼ା ଏବଂ ପୂର୍ବ ସିଂହଭୂମ)କୁ ଉନ୍ନତ ସଂଯୋଗ ଯୋଗାଇବ । ନୂତନ ଲାଇନ ପ୍ରକଳ୍ପର ଲାଭ ଉପରେ ଆଲୋକପାତ କରି ମନ୍ତ୍ରଣାଳୟ କହିଛି ଯେ ଏହା ପ୍ରାୟ ୧୩୦୦ ଗାଁ ଏବଂ ପ୍ରାୟ ୧୧ ଲକ୍ଷ ଜନସଂଖ୍ୟାକୁ ସଂଯୋଗ କରିବ । ଏହା ସହିତ ମଲ୍ଟି ଟ୍ରାକିଂ ପ୍ରକଳ୍ପ ପ୍ରାୟ ୧୩୦୦ ଗ୍ରାମ ଏବଂ ପ୍ରାୟ ୧୯ ଲକ୍ଷ ଜନସଂଖ୍ୟା ସହିତ ସଂଯୋଗ ବୃଦ୍ଧି କରିବ ।
ଆଜିର କ୍ୟାବିନେଟରେ ଓଡ଼ିଶା ବରଗଡ଼-ନୂଆପଡ଼ା ପାଇଁ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ୧୩୮ କିଲୋମିଟର ରେଳ ପ୍ରକଳ୍ପ ପାଇଁ ୨,୯୨୬ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏହା ସହିତ ସୁନ୍ଦରଗଡ଼ ପାଇଁ ମଧ୍ୟ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହା ସୁନ୍ଦରଗଡ଼ରୁ ଛତିଶଗଡ଼କୁ ସଂଯୋଗ କରିବ । ୩୭ କିଲୋମିଟର ରେଲ ଲାଇନ ପାଇଁ ୧୩୬୦ କୋଟି ଅର୍ଥ ଅନୁମୋଦନ ମିଳିଛି । ରେଳ ମନ୍ତ୍ରଣାଳୟର ଏହି ଘୋଷଣା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସାଂସଦ ମାଳବିକା ସିଂହଦେଓ ଧନ୍ୟବାଦ ଜଣାଇଛନ୍ତି । ବରଗଡ଼ବାସୀଙ୍କ ସ୍ୱପ୍ନ ପୂରଣ ହୋଇଛି ବୋଲି ସେ କହିଛନ୍ତି ।
ରେଳମନ୍ତ୍ରୀ କହିଛନ୍ତି ଯେ ଅନୁମୋଦିତ ପ୍ରକଳ୍ପଗୁଡ଼ିକ ସଂଯୋଗ ବିହୀନ ଅଞ୍ଚଳକୁ ସଂଯୋଗ କରି ଲଜିଷ୍ଟିକ୍ ଦକ୍ଷତାରେ ଉନ୍ନତି ଆଣିବ, ଏବେ ଥିବା ଲାଇନ୍ କ୍ଷମତା ବୃଦ୍ଧି କରିବ ଏବଂ ପରିବହନ ନେଟୱାର୍କରେ ମଧ୍ୟ ବୃଦ୍ଧି କରିବ, ଯାହା ଫଳରେ ଯୋଗାଣ ଶୃଙ୍ଖଳା ସୁବ୍ୟବସ୍ଥିତ ହେବ ଏବଂ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ । ନୂତନ ଲାଇନ୍ ପ୍ରସ୍ତାବଗୁଡ଼ିକ ସିଧାସଳଖ ଯୋଗାଯୋଗ ପ୍ରଦାନ କରିବ ଏବଂ ଗତିଶୀଳତାକୁ ଉନ୍ନତ କରିବ, ଭାରତୀୟ ରେଳବାଇ ପାଇଁ ଦକ୍ଷତା ଏବଂ ସେବା ବିଶ୍ୱସନୀୟତା ପ୍ରଦାନ କରିବ । ଏହି ମଲ୍ଟି ଟ୍ରାକିଂ ପ୍ରସ୍ତାବ ଦ୍ୱାରା ଭାରତୀୟ ରେଳବାଇର ବ୍ୟସ୍ତବହୁଳ ସେକ୍ସନଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମି ବିକାଶ ସହିତ ପରିଚାଳନାକୁ ସହଜ କରିବା ସହ ଭିଡ଼ ହ୍ରାସ ପାଇବ ।
ମନ୍ତ୍ରଣାଳୟ ପରିବହନ ଉପରେ ଗୁରୁତ୍ୱାରୋପ କରିଛି, କାରଣ କୃଷିଜାତ ଦ୍ରବ୍ୟ, ସାର, କୋଇଲା, ଲୁହାପଥର, ଇସ୍ପାତ, ସିମେଣ୍ଟ ଏବଂ ଚୂନ ପଥର ଭଳି ସାମଗ୍ରୀ ପରିବହନ ପାଇଁ ଏହା ଅତ୍ୟାବଶ୍ୟକ ମାର୍ଗ ଅଟେ । ମନ୍ତ୍ରଣାଳୟ କହିଛି ଯେ ଦକ୍ଷତା ଯୋଗ କାର୍ୟ୍ୟ ଦ୍ୱାରା ୪୫ MTPA(ବାର୍ଷିକ ନିୟୁତ ଟନ୍) ଅତିରିକ୍ତ ମାଲ ପରିବହନ ହେବ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଚଳିତ ମାସରେ ଦୁଇ ଦୁଇ ଥର ଓଡ଼ିଶାକୁ ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନି । ଗତ ଅଗଷ୍ଟ ୯ ତାରିଖରେ କେନ୍ଦ୍ର ସରକାର ଦେଶରେ ୮ଟି ନୂତନ ରେଳ ପ୍ରକଳ୍ପ କରିବାକୁ ଘୋଷଣା କରିଥିଲେ । ଏଥି ମଧ୍ୟରେ କେବଳ ଓଡ଼ିଶାକୁ ୬ଟି ରେଳ ପ୍ରକଳ୍ପ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୨୪,୬୫୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ଅଧିକ ପଢ଼ନ୍ତୁ: