ଖବର ଓଡ଼ିଶା: କେନ୍ଦ୍ର ସରକାର ଦେଶରେ ୮ଟି ନୂତନ ରେଳ ପ୍ରକଳ୍ପ କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ କେନ୍ଦ୍ର କ୍ୟାବିନେଟରେ ୮ଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥି ମଧ୍ୟରେ କେବଳ ଓଡ଼ିଶାକୁ ୬ଟି ରେଳ ପ୍ରକଳ୍ପ ମିଳିଛି । ଏହି ପ୍ରକଳ୍ପଗୁଡ଼ିକ ପାଇଁ ମୋଟ ୨୪,୬୫୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଶୁକ୍ରବାର କେନ୍ଦ୍ର କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ କ୍ୟାବିନେଟରେ ପୂର୍ବ ଭାରତର ବିକାଶ ପାଇଁ ୮ଟି ପ୍ରମୁଖ ରେଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ସେଥିମଧ୍ୟରୁ କେବଳ ଓଡ଼ିଶାର ୬ଟି ରେଳ ପ୍ରକଳ୍ପ ସ୍ଥାନ ପାଇଛି । ଏହି ପ୍ରକଳ୍ପର ମୂଲ୍ୟ ୨୪,୬୫୭ କୋଟି ରହିଛି । ଯେଉଁଥିରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାକୁ (ଗୁଣୁପୁର- ଥେରୁବାଲି ୭୩ କି.ମି.), କଳାହାଣ୍ଡି-ନବରଙ୍ଗପୁରର (ଜୁନାଗଡ଼-ନବରଙ୍ଗପୁର ୧୧୬ କି.ମି), ବାଦାମପାହାଡ଼-କେନ୍ଦୁଝରଗଡ ୮୨.୬ କି.ମି), ବାଙ୍ଗିରିପୋଷୀ-ଗୋରୁ ମୋହିଷାଣି ୮୫.୬୦ କି.ମି, ମାଲକାନଗିରି-ପାଣ୍ଡୁରଙ୍ଗପୁର (ଓଡ଼ିଶା, ଆନ୍ଦ୍ରପ୍ରଦେଶ,ତେଲେଙ୍ଗାନା)୧୭୩.୬୧ କି.ମି ଏବଂ ବୁରାମରା-ଚକୁଳିଆ (ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ) ୫୯.୯୬ କିମି. ନୂଆ ରେଳ ଲାଇନ୍ ହେବ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୪ଟି ନୂଆ ରେଳ ଷ୍ଟେସନ ଅନ୍ତର୍ଭୁକ୍ତ ହେବ । ଏହା ଦ୍ୱାରା ୬ଟି ଆକାଂକ୍ଷୀ ଜିଲ୍ଲା- ମାଲକାନଗିରି, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ପୂର୍ବ ସିଂହଭୂମ, ଭଦାଦ୍ରି କୋଠାଗୁଡେମର ପାଖାପାଖି ୫୧୦ଟି ଗାଁ ଏବଂ ପ୍ରାୟ ୪୦ ଲକ୍ଷ ଜନସଂଖ୍ୟାକୁ ଯୋଗାଯୋଗ ବୃଦ୍ଧି ପାଇବ । ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଉତ୍ତର-ପୂର୍ବ ରାଜ୍ୟର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କ୍ୟାବିନେଟର ଆଜିର ନିଷ୍ପତ୍ତିରେ କୁହାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ କ୍ୟାବିନେଟରେ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।
ଏଥିପାଇଁ ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର କ୍ୟାବିନେଟ୍ରେ ଓଡ଼ିଶାକୁ ନୂଆ ରେଳ ଲାଇନ୍ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ପ୍ରସାରଣ ନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାର ଆର୍ଥିକ ଅଭିବୃଦ୍ଧି ସହ ଭିତିଭୂମିକୁ ସୁଦୃଢ କରିବ । ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।