ୟୁକ୍ରେନ ସୀମାକୁ ଲାଗି ଥିବା ରୁଷ ଅଞ୍ଚଳରେ ୟୁକ୍ରେନ ଆକ୍ରମଣରେ ଏକ ବୈଦୁତିକ ଉପକରଣ କାରଖାନାରେ ଅଗ୍ନିକାଣ୍ଡ ଘଟି ୬ ଜଣ ଆହତ ହୋଇଛନ୍ତି। ରୁଷ କୁର୍ସ୍କ ଅଞ୍ଚଳର କୋରେନେଭୋ ସହରର ଏକ କାରଖାନା ଉପରେ ଡ୍ରୋନ୍ ଆକ୍ରମଣ ଦ୍ୱାରା ଅଗ୍ନିକାଣ୍ଡ ଘଟିଥିଲା । ନିଆଁକୁ ଆୟତ୍ତ କରାଯାଇଛି ଏବଂ ଏହି ଘଟଣାରେ କେହି ମୃତ୍ୟୁବରଣ କରିନାହାନ୍ତି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି।
ଏହା ପୂର୍ବରୁ ହୋଇଥିବା ଆଉ ଏକ ଘଟଣାରେ ରୁଷର ଅନ୍ୟ ଏକ ସ୍ଥାନରେ ଡ୍ରୋନ୍ ଦ୍ୱାରା ବୋମା ପକାଯାଇଥିବାବେଳେ ଜଣେ ବ୍ୟକ୍ତି ଆହତ ହୋଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଟେଲିଗ୍ରାମ ଚ୍ୟାନେଲରେ ଦେଖାଯାଇଥିବା ଫଟୋଗୁଡ଼ିକରେ ଦେଖିବାକୁ ମିଳିଥିଲା ଯେ କାରଖାନାର ଛାତରେ ରାତି ସମୟରେ ନିଆଁ ଲାଗିଯାଇଥିଲା। କାରଖାନାର ଭିତର ପାର୍ଶ୍ୱରେ ନିଆଁ ଲାଗିବା କାରଣରୁ ସବୁ କିଛି ଜଳି ପୋଡି ନଷ୍ଟ ହୋଇଯାଇଥିଲା ।
ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ରାତିରେ ୧୩ ଟି ୟୁକ୍ରେନ ଡ୍ରୋନକୁ ନଷ୍ଟ କରି ଦେଇଛି। ୟୁକ୍ରେନ ସୀମା ନିକଟରେ ରୁଷର ବେଲଗୋରୋଡ ଅଞ୍ଚଳର ରାଜ୍ୟପାଳ କହିଛନ୍ତି ଯେ ୟୁକ୍ରେନ ଗୁଳିରେ ଚାରି ଜଣ ଆହତ ହୋଇଛନ୍ତି। ଏହାସହ ସ୍ଥାନୀୟ ଅଧିକାରୀ ୟୁକ୍ରେନ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଲଗୋରୋଡ ଅଞ୍ଚଳର ୧୪ ଟି ଗାଁରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରୁଛନ୍ତି ।