ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଲଗାତର ଦ୍ୱିତୀୟ ଥର ପାଇଁ ଝଟକା ଦେଇଛନ୍ତି । ରୁଷ ଏବଂ ଭାରତର ସମ୍ପର୍କକୁ ଆମେରିକା ପ୍ରତିଶୋଧ ପରାୟଣ ହୋଇଉଠିଛି । ଭାରତ ଉପରେ ଆଉ ୨୫% ଟାରିଫ୍ ଶୁଳ୍କ ଲାଗୁ କରିଛନ୍ତି ଟ୍ରମ୍ପ୍ । ଏହାକୁ ମିଶାଇ ଭାରତ ଉପରେ ଆମେରିକା ଆମଦାନୀ ଶୁଳ୍କ ମୋଟ ୫୦ ପ୍ରତିଶତ ତାରିଫ ଘୋଷଣା କରିଛନ୍ତି । ଯାହାର କଡ଼ା ଜବାବ ରଖିଛି ଭାରତର ବୈଦେଶିକ ମନ୍ତ୍ରଣାଳୟ । ଭାରତ ତାର ଜାତୀୟ ସ୍ୱାର୍ଥ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ ବୋଲି ସଫା ସଫା ଶୁଣାଇ ଦେଇଛନ୍ତି ।
ଡୋନାଲ୍ଡ ଟ୍ରମ୍ପ୍ ବୁଧବାର ଭାରତ ଉପରେ ୨୫% ଅତିରିକ୍ତ ଶୁଳ୍କ ଲାଗୁ କରିବା ପାଇଁ ଏକ କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶରେ ସ୍ୱାକ୍ଷର କରିଛନ୍ତି । ଭାରତ ରୁଷରୁ ତୈଳ ଆମଦାନୀ କରୁଥିବାରୁ ଆମେରିକା ଏହି ନିଷ୍ପତ୍ତି ନେଇଥିବା କହିଛି । ଅର୍ଡର ସ୍ୱାକ୍ଷର ହେବାର ୨୧ ଦିନ ପରେ ଆମେରିକାରେ ପ୍ରବେଶ କରୁଥିବା ସମସ୍ତ ଯୋଗ୍ୟ ଭାରତୀୟ ସାମଗ୍ରୀ ପାଇଁ ନୂତନ ଶୁଳ୍କ ଲାଗୁ ହେବ । ଶେଷ ତାରିଖ ପୂର୍ବରୁ ପରିବହନରେ ଥିବା ସାମଗ୍ରୀ ଏବଂ ସେପ୍ଟେମ୍ବର ୧୭ ପୂର୍ବରୁ କ୍ଲିୟର ହୋଇଥିବା ସମସ୍ତ ସାମଗ୍ରୀକୁ ବାଦ୍ ଦିଆଯିବ ।
ଆମେରିକାର ଏହି ନିଷ୍ପତ୍ତି ପରେ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି । ବୈଦେଶିକ ମନ୍ତ୍ରଣାଳୟ କହିଛି, ଆମେରିକା ଗତ କିଛି ଦିନ ମଧ୍ୟରେ ରୁଷରୁ ଭାରତର ତୈଳ ଆମଦାନୀକୁ ଟାର୍ଗେଟ କରିଛି । ଆମେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆମର ସ୍ଥିତି ସ୍ପଷ୍ଟ କରିସାରିଛୁ, ବଜାରକୁ ଦେଖି ଆମଦାନୀ କରାଯାଉଛି । ଭାରତର ୧୪୦ କୋଟି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ବ୍ୟବସାୟ କରାଯାଉଛି । ଅନେକ ଦେଶ ମଧ୍ୟ ନିଜ ଜାତୀୟ ସ୍ୱାର୍ଥ ପାଇଁ ଏପରି ପଦକ୍ଷେପ ନେଉଛନ୍ତି କିନ୍ତୁ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଯେ ଆମେରିକା ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ଏହା ଅନ୍ୟାୟ, ଅନୁଚିତ ଏବଂ ଅଯୌକ୍ତିକ । ଭାରତ ଏହାର ଜାତୀୟ ସ୍ୱାର୍ଥର ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ନେବ।