ନୂଆଦିଲ୍ଲୀ: ବୈଦେଶିକ ଗଣମାଧ୍ୟମ ଏବଂ ୟୁରୋପୀୟ ଦେଶମାନେ ଅପରେସନ ସିନ୍ଦୂରକୁ ଭାରତର ଆତଙ୍କବାଦୀ ବିରୋଧରେ କାର୍ଯ୍ୟାନୁଷ୍ଠାନଭାବେ ଉପସ୍ଥାପନ କରିବା ପରିବର୍ତ୍ତେ ଦୁଇ ପରମାଣୁ ସମ୍ପନ୍ନ ଦେଶ ମଧ୍ୟରେ ଯୁଦ୍ଧ ଭାବରେ ଦେଖାଇବା ଉଚିତ । ଏହି ଆତଙ୍କବାଦ ବିରୁଦ୍ଧରେ କେବଳ ଭାରତ ନୁହେଁ ସାରା ବିଶ୍ୱକୁ ଲଢ଼ିବାକୁ ପଡ଼ିବ । ବିଦେଶ ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଜି ଆତଙ୍କବାଦକୁ ନେଇ ପୁଣି ଥରେ ବର୍ଷିଛନ୍ତି । ଏହା ସହିତ ଓସାମା ବିନ୍ ଲାଡେନ୍ କାହିଁକି ପାକିସ୍ତାନକୁ ସୁରକ୍ଷିତ ସ୍ଥାନ ଭାବିଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟଶଙ୍କର ।
ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ୟୁରୋପୀୟ ସଂଘ ନେତାମାନଙ୍କୁ ଭେଟିବା ପାଇଁ ବ୍ରୁସେଲ୍ସରେ ଅଛନ୍ତି । ସେ ୟୁରୋପୀୟ ଦେଶମାନଙ୍କୁ ପାକିସ୍ତାନ ବିରୁଦ୍ଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଦୁଇଟି ଦେଶ ମଧ୍ୟରେ ସଂଘର୍ଷ ଭାବରେ ନୁହେଁ ବରଂ ଆତଙ୍କବାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଭାବରେ ଦେଖିବା ପାଇଁ ପରାମର୍ଶ ଦେଇଛନ୍ତି । ଭାରତ, ରୁଷ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ସମ୍ପର୍କ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି ।
ଏହା ସହିତ ବୈଦେଶିକ ମନ୍ତ୍ରୀ ଗଣମାଧ୍ୟମ ସହିତ ସାକ୍ଷାତକାରରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଅପରେସନ୍ ସିନ୍ଦୁରକୁ ୟୁରୋପ କିପରି ଦୁଇ ଦେଶ ମଧ୍ୟରେ ସଂଘର୍ଷ ଭାବରେ ଉପସ୍ଥାପନ କରିଥିଲା ତାହାକୁ ସମାଲୋଚନା କରିଛନ୍ତି । ସାକ୍ଷାତକାର ସମୟରେ ବୈଦେଶିକ ଗଣମାଧ୍ୟମ ଉପରେ ଖୁବ ବର୍ଷିଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଗୋଟିଏ କଥା ମନେ ପକାଇ ଦେବାକୁ ଚାହୁଁଛି, ଓସାମା ବିନ୍ ଲାଡେନ୍ ନାମକ ଜଣେ ବ୍ୟକ୍ତି ଥିଲେ । ସେ ପଶ୍ଚିମ ପଏଣ୍ଟ ପାଖରେ ଥିବା ଏକ ପାକିସ୍ତାନୀ ସାମରିକ ସହରରେ ବର୍ଷ ବର୍ଷ ଧରି କାହିଁକି ସୁରକ୍ଷିତ ଥିଲେ ? ମୁଁ ଚାହେଁ ଯେ ବିଶ୍ୱ ଏହାକୁ ବୁଝିବାକୁ ଚେଷ୍ଟା କରୁ ଯେ ଏହା କେବଳ ଭାରତ-ପାକିସ୍ତାନ ପ୍ରସଙ୍ଗ ନୁହେଁ ବରଂ ଏହା ଆତଙ୍କବାଦ ବିଷୟରେ ଏବଂ ଏହି ଆତଙ୍କବାଦ ଆପଣଙ୍କୁ (ୟୁରୋପ) ମଧ୍ୟ ହଇରାଣ କରିବ ।
ସେହିପରକି ୟୁକ୍ରେନ ଆକ୍ରମଣ ପରେ ଭାରତ କାହିଁକି ୟୁରୋପୀୟ ସଂଘ ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାରେ ସାମିଲ ହୋଇ ନ ଥିଲା ବୋଲି ପ୍ରଶ୍ନ ଆସିଥିଲା । ଯାହାର ଉତ୍ତରରେ ବୈଦେଶିକ ମନ୍ତ୍ରୀ ଭାରତର ମତକୁ ଦୋହରାଇ କହିଛନ୍ତି, ଯୁଦ୍ଧ ମାଧ୍ୟମରେ ଶାନ୍ତି ଆସିପାରିବ ନାହିଁ । ଯୁଦ୍ଧ ମାଧ୍ୟମରେ ମତଭେଦ ସମାଧାନ ହୋଇପାରିବ ଏହା ଆମେ ବିଶ୍ୱାସ କରୁ ନାହୁଁ । ଏହାର କିପରି ସମାଧାନ ହେବା ତାହାର ଜବାବରେ ଜୟଶଙ୍କର କହିଛନ୍ତି, ସମାଧାନ କ’ଣ ହେବା ଉଚିତ ତାହା ନିଷ୍ପତ୍ତି ନେବା ଆମର କାମ ନୁହେଁ । ଆମେ ନିର୍ଦ୍ଦେଶାତ୍ମକ କିମ୍ବା ନିର୍ଣ୍ଣାୟକ ନୁହେଁ, ଆମେ ଏଥିରେ ଜଡିତ ନୁହଁ । ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତର ୟୁକ୍ରେନ ଏବଂ ରୁଷ ଉଭୟ ସହିତ ଦୃଢ଼ ସମ୍ପର୍କ ରହିଛି । ଏହା ସହିତ ପୁଣି ସେ ୟୁରୋପୀୟ ଦେଶମାନଙ୍କୁ ସେମାନଙ୍କର ପୂର୍ବ ନିଷ୍ପତ୍ତିକୁ ମନେପକାଇ ଦେଇଛନ୍ତି । ସ୍ୱାଧୀନତା ପରେ ପାକିସ୍ତାନ ଯେତେବେଳେ ଭାରତ ଉପରେ ଆକ୍ରମଣ କରିଥିଲା, ସେତେବେଳେ ପାଶ୍ଚାତ୍ୟ ଦେଶଗୁଡ଼ିକ ଇସଲାମାବାଦ ସହିତ ଠିଆ ହୋଇଥିଲେ।
ସ୍ୱାଭାବିକ ଭାବରେ ପ୍ରତ୍ୟେକ ଦେଶ ନିଜର ଅଭିଜ୍ଞତା, ଇତିହାସ ଏବଂ ସ୍ୱାର୍ଥକୁ ବିଚାର କରେ। ଭାରତର ସବୁଠାରୁ ପୁରୁଣା ଅଭିଯୋଗ ହେଉଛି ଯେ ସ୍ୱାଧୀନତାର ମାତ୍ର କିଛି ମାସ ପରେ ଆମର ସୀମା ଉଲ୍ଲଂଘନ ହୋଇଥିଲା, ଯେତେବେଳେ ପାକିସ୍ତାନ କାଶ୍ମୀରକୁ ଆକ୍ରମଣକାରୀ ପଠାଇଥିଲା ଏବଂ ପାକିସ୍ତାନକୁ ସର୍ବାଧିକ ସମର୍ଥନ କରୁଥିବା ଦେଶଗୁଡ଼ିକ ଥିଲେ ୟୁରୋପୀୟ ଦେଶ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ।