ନୂଆଦିଲ୍ଲୀ: ଗୋଟିଏ ପାର୍ଶ୍ୱରେ ପାକିସ୍ତାନର ୪୫ ପ୍ରତିଶତ ଜନତା ଦାରିଦ୍ର୍ୟତାରେ ସନ୍ତୁଳି ହେଉଛି, କିନ୍ତୁ ଆଉ ଗୋଟେ ପଟେ ଆତଙ୍କବାଦୀଙ୍କୁ ନିଜ କୋଳରେ ଜାବୁଡ଼ି ଧରିଛନ୍ତି ପାକ୍ ସରକାର । ଏବେ ପୁଣି ଆହୁରି ଋଣ କରି ଭାରତ ସହିତ ଲଢ଼ିବାକୁ ନିଜର ସାମରିକ ଶକ୍ତି ବୃଦ୍ଧି କରିବାକୁ ପଡ଼ୋଶୀ ରାଷ୍ଟ୍ର ଯୋଜନା ପ୍ରସୁତ କରୁଛି । ଯାହାକି ନିଜର ଲୋକଙ୍କୁ ଆହୁରି ତଳିତଳାନ୍ତ କରିବାକୁ ବସିଛି ପାକିସ୍ତାନ ।
ମଙ୍ଗଳବାର ପାକିସ୍ତାନ ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ପ୍ରାୟ ୨,୫୦୦ ଆରବ ବଜେଟ୍ ଆଣିପାରନ୍ତି ଶେହବାଜ ସରକାର । ପାକ୍ ସରକାର ପ୍ରତିରକ୍ଷା କ୍ଷେତ୍ରରେ ପ୍ରାୟ ୧୮% ବଜେଟ୍ ବୃଦ୍ଧି କରିପାରନ୍ତି । ଯାହାଦ୍ୱାରା ଦେଶର ସାମରିକ ଶକ୍ତି ବୃଦ୍ଧି ପାଇବ । ଯାହାକୁ ନେଇ ଚିନ୍ତାରେ ଏବେ ପାକିସ୍ତାନ ବାସିନ୍ଦା । ଏଭଳି ଏକ ପରିସ୍ଥିତିରେ ଦେଶ ଏମିତି ନିଷ୍ପତ୍ତି ଯେତେବେଳେ ଜନତା ଗରିବୀ ସହିତ ଲଢ଼େଇ କରୁଛନ୍ତି ।
ପାକ୍ ସରକାର ସୋମବାର ବାର୍ଷିକ ଆର୍ଥିକ ସମୀକ୍ଷା ରିପୋର୍ଟ ଉପସ୍ଥାପନ କରିଛନ୍ତି । ଏଥିରୁ ଜଣାପଡ଼ିଛି ପାକିସ୍ତାନ ଉପରେ ଋଣର ବୋଝ ୭୬,୦୦୭ ଆରବ (୭୬,୦୦୭୦୦ କୋଟି) ହୋଇଯାଇଛି । ଏହି ସଂଖ୍ୟା ବିଗତ ଚାରି ବର୍ଷରେ ବଢ଼ି ଦ୍ୱିଗୁଣିତ ହୋଇଛି । ପାଞ୍ଚ ବର୍ଷ ପୂର୍ବରୁ ପାକିସ୍ତାନର ମୋଟ ଋଣ ଭାର ୩୯,୮୬୦ ଆରବ (୩୯,୮୬୦୦୦ କୋଟି) ରହିଥିଲା । ବିଗତ ଏକ ଦଶନ୍ଧି ମଧ୍ୟରେ ପାକିସ୍ତାନ ଉପରେ ଋଣର ବୋଝ ପାଞ୍ଚ ଗୁଣା ବଢ଼ି ଯାଇଛି । ସେଥିମଧ୍ୟରେ ଘରୋଇ ଋଣ ୫୧, ୫୧୮ ଆରବ ହୋଇଥିବାବେଳେ ବୈଦେଶିକ ଋଣ ୨୪, ୪୮୯ ଆରବ ରହିଛି ।
ଏକ ଆର୍ଥିକ ସର୍ଭେରୁ ସ୍ପଷ୍ଟ କରାଯାଇଛି କି ଦେଶ ପାଇଁ ଆର୍ଥିକ ସଙ୍କଟ ଉତ୍ପନ୍ନ ହୋଇପାରେ । ଦେଶର ଆର୍ଥିକ ଅସ୍ଥିରତା ବୃଦ୍ଧି ପାଇବ । ସର୍ଭେରେ ଏହା ମଧ୍ୟ କୁହାଯାଇଛି, ସରକାର ଏଥିପ୍ରତି ଧ୍ୟାନ ନ ଦିଅନ୍ତି ତେବେ ପାକିସ୍ତାନ ଏକ ଲମ୍ବା ସମୟ ଧରି ଆର୍ଥିକ ଅସ୍ଥିରତା ମଧ୍ୟରେ ଗତି କରିବାର ସମ୍ଭାବନା ରହିଛି । ବିଶ୍ୱ ବ୍ୟାଙ୍କ ମଧ୍ୟ କହିଛି, ପାକିସ୍ତାନରେ ଗରିବ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି ।