ଦୁବାଇ: ଦୁବାଇରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନଜେମେଣ୍ଟ ଅହମ୍ମଦାବାର କ୍ୟାମ୍ପସ୍ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୟୁଏଇର ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅବଦୁଲ ରେହମାନ ଅଲ ଆୱାରଙ୍କ ଉପସ୍ଥିତିରେ ଦୁବାଇର ଯୁବରାଜ ଶେଖ୍ ହମଦାନ୍ ବିନ୍ ମହମ୍ମଦ ବିନ୍ ରସିଦ୍ ଅଲ୍ ମକତୁମ୍ ଆଇଆଇଏମ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଭାରତର ଶିକ୍ଷାର ଅନ୍ତର୍ଜାତୀୟକରଣ ଦିଗରେ ଏହା ଆଉ ଏକ ବଡ଼ ପଦକ୍ଷେପ । ଏହି ନୂଆ କ୍ୟାମ୍ପସ ବିଶ୍ୱକୁ ଭାରତର ନୂଆ ପରିଚୟ ପ୍ରଦାନ କରିବ । ଏହି ଅନ୍ତର୍ଜାତୀୟ କ୍ୟାମ୍ପସ୍ ଜାତୀୟ ଶିକ୍ଷା ନୀତିରେ କଳ୍ପନା କରାଯାଇଥିବା ‘ଆତ୍ମାରେ ଭାରତୀୟ, ଆଉଟଲୁକରେ ବିଶ୍ୱ’ ନୀତିକୁ ଏକ ସର୍ବୋତ୍ତମ ଲଞ୍ଚପ୍ୟାଡ୍ ପ୍ରଦାନ କରିଛି । ଏହି କ୍ୟାମ୍ପସ ଭାରତ-ୟୁଏଇ ଶିକ୍ଷା ସମ୍ପର୍କରେ ଏକ ଗୌରବମୟ ଅଧ୍ୟାୟ ଯୋଡିହୋଇଛି ।
ଏହା ପୂର୍ବରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏବଂ ୟୁଏଇର ଉଚ୍ଚଶିକ୍ଷା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ ହୋଇଛି । ସାକ୍ଷାତ୍ ଆଲୋଚନା କରିଥିଲେ । ଉଚ୍ଚଶିକ୍ଷାରେ ଦୁଇ ଦେଶର ଦ୍ୱିପାକ୍ଷିକ ସହଯୋଗ ଉପରେ ସମୀକ୍ଷା କରାଯିବା ସହ ଦୁଇ ଦେଶର ଜ୍ଞାନ ସେତୁକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା ।
ଏକ ଗୋଲଟେବୁଲ ସମ୍ମିଳନୀରେ ମଧ୍ୟ ଯୋଗ ଦେଇ ଉଚ୍ଚ ଶିକ୍ଷାନୁଷ୍ଠାନର ଲିଡରମାନଙ୍କ ସହ ଶ୍ରୀ ପ୍ରଧାନ ଭବିଷ୍ୟତ ପାଇଁ ଥିବା ସେମାନଙ୍କର ଆଭିମୁଖ୍ୟ ଏବଂ ଯୋଜନା ବିଷୟରେ ଆଲୋଚନା କରିଥିଲେ । ବିଶ୍ୱ ଶିକ୍ଷା, ନବସୃଜନ ଏବଂ ଉଦ୍ୟମିତା ମାନଚିତ୍ରରେ ‘ବ୍ରାଣ୍ଡ ଇଣ୍ଡିଆ’କୁ ସୁଦୃଢ଼ କରିବା ଉପରେ ମଧ୍ୟ ଶ୍ରୀ ପ୍ରଧାନ ବୈଠକରେ ମତପ୍ରକାଶ କରିଥିଲେ । ଏହାବ୍ୟତୀତ ଶ୍ରୀ ପ୍ରଧାନ ଗସ୍ତର ଅନ୍ତିମ ଦିନରେ ଦୁବାଇର ଭାରତୀୟ କନସୁଲେଟ୍ରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଦେବା ସହ 'ଏକ ପେଡ୍ ମା’ କେ ନାମ' ଅଭିଯାନ ଅଧୀନରେ ବୃକ୍ଷରୋପଣ କରିଥିଲେ । ସେଠାରେ ଶିକ୍ଷକ ଦିବସ ପାଳନ ଅବସରରେ ସିବିଏସଇ ସ୍କୁଲର ପ୍ରିନ୍ସିପାଲଙ୍କ ସହିତ ଆଲୋଚନା କରିବା ସହ ୟୁଏଇରେ ଥିବା ଭାରତୀୟ ସ୍କୁଲଗୁଡ଼ିକରେ ଅଟଳ ଟିଙ୍କରିଂ ଲ୍ୟାବର ମଧ୍ୟ ଶୁଭାରମ୍ଭ କରିଛନ୍ତି ।