ଛତିଶଗଡ଼ର ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ ନକ୍ସଲ ମଧ୍ୟରେ ଏନକାଉଣ୍ଟର ହୋଇଛି। ସୁରକ୍ଷା ବାହିନୀ ଏହି ଏନକାଉଣ୍ଟରରେ ୧୦ ଜଣ ନକ୍ସଲଙ୍କୁ ନିହତ କରିଛନ୍ତି। ନିହତ ନକ୍ସଲଙ୍କ ମଧ୍ୟରେ ଭୟଙ୍କର ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ ବାଲକୃଷ୍ଣ ମଧ୍ୟ ଅଛନ୍ତି। କୁହାଯାଉଛି ଯେ ନକ୍ସଲ କମାଣ୍ଡର ମନୋଜ ଓରଫ ମୋଡେମ ବାଲକୃଷ୍ଣଙ୍କ ଉପରେ ୧ କୋଟି ଟଙ୍କାର ପୁରସ୍କାର ଥିଲା। ଶୋଭା ଥାନା ଏବଂ ମୈନପୁର ଥାନା ଅଞ୍ଚଳର ଜଙ୍ଗଲରେ ସୁରକ୍ଷା ବାହିନୀ ଏହି ଅପରେସନ୍ କରିଛନ୍ତି। ଏବେ ବି ଏନକାଉଣ୍ଟର ଜାରି ରହିଛି।
ଗାରିଆବନ୍ଦ ଜିଲ୍ଲାର ମୈନପୁର ଅଞ୍ଚଳରେ ଏନକାଉଣ୍ଟର
ରାୟପୁର ଅଞ୍ଚଳର ପୋଲିସ ମହାନିରୀକ୍ଷକ ଅମରେଶ ମିଶ୍ର ଏହି ଏନକାଉଣ୍ଟରକୁ ନିଶ୍ଚିତ କରିଛନ୍ତି କିନ୍ତୁ ଅଧିକ ବିବରଣୀ ଦେବାକୁ ମନା କରିଛନ୍ତି। ସେ କହିଛନ୍ତି ଯେ ଗାରିଆବନ୍ଦ ଜିଲ୍ଲାର ମୈନପୁର ଅଞ୍ଚଳରେ ସୁରକ୍ଷା ବାହିନୀର ନକ୍ସଲମାନଙ୍କ ସହ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ବଡ଼ ନକ୍ସଲ କମାଣ୍ଡର ମଧ୍ୟ ନିହତ ହୋଇଛନ୍ତି। ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ ସୂଚନା ରହିଛି। ସେ ଓଡ଼ିଶା ପୋଲିସ ପାଇଁ ମଧ୍ୟ ମୋଷ୍ଟ ୱାଣ୍ଟେଡ୍ ଥିଲା। କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (KKBN) ପାଇଁ କାମ କରୁଥିଲା।
ଜଙ୍ଗଲରେ ନକ୍ସଲବାଦୀଙ୍କ ଉପସ୍ଥିତି ବିଷୟରେ ଥିଲା ଖବର
ମିଶ୍ର କହିଛନ୍ତି ଯେ ମୈନପୁର ଅଞ୍ଚଳର ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କୋବ୍ରା ବାଟାଲିୟନ, ସ୍ପେଶାଲ ଟାସ୍କ ଫୋର୍ସ (STF) ଏବଂ ଜିଲ୍ଲା ବାହିନୀର ଏକ ମିଳିତ ଦଳକୁ ନକ୍ସଲ ବିରୋଧୀ ଅପରେସନ ପାଇଁ ପଠାଯାଇଥିଲା। ସେ କହିଛନ୍ତି ଯେ ଗୁରୁବାର ସକାଳଠାରୁ ଏହି ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ମଝିରେ ମଝିରେ ଏନକାଉଣ୍ଟର ଚାଲିଛି। ସେ କହିଛନ୍ତି ଯେ ଅପରେସନ ସମାପ୍ତ ହେବା ପରେ ଏ ସମ୍ପର୍କରେ ଅଧିକ ସୂଚନା ଦିଆଯିବ।