କାଠମାଣ୍ଡୁ: ପଶ୍ଚିମ ନେପାଳର ଏକ ଜେଲ୍ରେ ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ଅତି କମରେ ପାଞ୍ଚ ଜଣ ନାବାଳକ କଏଦୀଙ୍କ ମୃତ୍ୟୁ ଘଟିଛି। ହିଂସାତ୍ମକ ସରକାର ବିରୋଧୀ ପ୍ରତିବାଦ ସମୟରେ ଦେଶର ବିଭିନ୍ନ ଜେଲରୁ ୭୦୦୦ରୁ ଅଧିକ କଏଦୀ ଖସି ପଳାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, କଏଦୀମାନେ ପ୍ରତିବାଦର ସୁଯୋଗ ନେଇ ଜେଲରୁ ଖସି ପଳାଇବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ମଙ୍ଗଳବାର ଠାରୁ ଅନେକ ଜେଲରେ ସଂଘର୍ଷ ଘଟିଛି।
ବାଙ୍କେର ବୈଜନାଥ ଗ୍ରାମୀଣ ପୌରପାଳିକା-୩ସ୍ଥିତ ନୌବସ୍ତା ଆଞ୍ଚଳିକ ଜେଲର ନୌବସ୍ତା ସଂଶୋଧନ ଗୃହରେ ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ପାଞ୍ଚ ଜଣ ନାବାଳକ କଏଦୀଙ୍କ ମୃତ୍ୟୁ ହୋଇଥିଲା, ଅନ୍ୟ ଚାରି ଜଣ ଆହତ ହୋଇଥିଲେ। ଏହି ଘଟଣା ସମୟରେ ଜେଲ୍ର ୫୮୫ କଏଦୀଙ୍କ ମଧ୍ୟରୁ ୧୪୯ ଏବଂ ବାଳଗୃହର ୧୭୬ କଏଦୀଙ୍କ ମଧ୍ୟରୁ ୭୬ ଜଣ ଖସି ପଳାଇଥିଲେ।
ଗୃହ ମନ୍ତ୍ରଣାଳୟ ସୂତ୍ରକୁ ଉଦ୍ଧୃତ କରି ରିପୋର୍ଟରେ କୁହାଯାଇଛି ଯେ ଦିଲ୍ଲୀବଜାର ଜେଲ (୧୧୦୦), ଚିତୱାନ (୭୦୦), ନାକ୍ଖୁ (୧,୨୦୦), ସୁନାସାରୀର ଝୁମ୍ପକା (୧,୫୭୫), କାଞ୍ଚନପୁର (୪୫୦), କୈଲାଲି (୬୧୨), ଜଳେଶ୍ୱର (୫୭୬), କାସ୍କି (୭୭୩), ଡାଙ୍ଗ (୧୨୪), ଜୁମଲା (୩୬), ସୋଲୁଖୁମ୍ବୁ (୮୬), ଗୌର (୨୬୦) ଏବଂ ବଝାଙ୍ଗ (୬୫) ସମେତ ବିଭିନ୍ନ ସ୍ଥାନରୁ କଏଦୀ ପଳାୟନ କରିଥିବା ରିପୋର୍ଟ ମିଳିଛି।
ଏକ ପୃଥକ ରିପୋର୍ଟରେ କୁହାଯାଇଛି ଯେ ଦକ୍ଷିଣ ନେପାଳର ବାଗମତୀ ପ୍ରଦେଶର ସିନ୍ଧୁଲିଗାଢ଼ୀରେ ଥିବା ଏକ ଜିଲ୍ଲା ଜେଲରୁ ୪୩ ଜଣ ମହିଳା ସମେତ ୪୭୧ ଜଣ କଏଦୀ ପଳାୟନ କରିଛନ୍ତି। କଏଦୀମାନେ ବୁଧବାର ସକାଳେ ଜେଲ୍ ଭିତରେ ନିଆଁ ଲଗାଇ ମୁଖ୍ୟ ଫାଟକ ଭାଙ୍ଗି ଖସି ପଳାଇଥିଲେ।
କାଠମାଣ୍ଡୁ ପୋଷ୍ଟର ରିପୋର୍ଟ ଅନୁଯାୟୀ ଦକ୍ଷିଣ ନେପାଳର ନବଲପରାସି ପଶ୍ଚିମ ଜିଲ୍ଲା ଜେଲରୁ ୫୦୦ ରୁ ଅଧିକ କଏଦୀ ପଳାୟନ କରିଛନ୍ତି। ଅନ୍ୟ ଏକ ଘଟଣାରେ, ପଶ୍ଚିମ ନେପାଳର ପାହାଡ଼ି ଅଞ୍ଚଳରେ ଅବସ୍ଥିତ ଜୁମଲା ଜିଲ୍ଲାର ଚନ୍ଦନାଥ ମ୍ୟୁନିସିପାଲିଟି-୬ରେ ଥିବା ଏକ ଜେଲରୁ ଅତି କମରେ ୩୬ ଜଣ କଏଦୀ ପଳାୟନ କରିଛନ୍ତି।
ପୋଲିସର ସୂଚନା ଅନୁଯାୟୀ ବୁଧବାର ଦିନ ୧୨ଟାରେ ଏହି ଘଟଣା ଘଟିଥିଲା ଯେତେବେଳେ କଏଦୀମାନେ କାଠ ରଡ୍ ସାହାଯ୍ୟରେ ଜେଲ ୱାର୍ଡେନଙ୍କୁ ଆକ୍ରମଣ କରିଥିଲେ ଏବଂ ଖସିଯିବା ପାଇଁ ମୁଖ୍ୟ ଫାଟକ ଭାଙ୍ଗି ଦେଇଥିଲେ।
ଅଧିକ ପଢ଼ନ୍ତୁ: ୫ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍