ଖବର ଓଡ଼ିଶା: ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ନେଇ ଉଠିଥିବା ଦାବି ତୀବ୍ର ରୂପ ଧାରଣ କରିଛି । ଦେଶରେ ଛାତ୍ରଛାତ୍ରୀମାନେ ଜାରି ରଖିଥିବା ସଂଘର୍ଷରେ ୧୦୦ରୁ ଅଧିକ ଜଣଙ୍କର ପ୍ରାଣହାନୀ ହୋଇଥିବା ସୂଚନା ମିଳିଛି । ଏହା ସହିତ ୨୫୦୦ରୁ ଊର୍ଦ୍ଧ୍ୱ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ଆଇନ-ବ୍ୟବସ୍ଥା ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରାଯାଇଛି ।
ଏଏଫପି ଅନୁଯାୟୀ, ଡାକ୍ତରଖାନାଗୁଡ଼ିକ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁସାରେ ଏହି ସପ୍ତାହରେ ଛାତ୍ର ଏବଂ ପୋଲିସ ମଧ୍ୟରେ ହୋଇଥିବା ସଂଘର୍ଷରେ ଅତି କମରେ ୧୦୫ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ୧୫ ବର୍ଷର ସରକାର ପାଇଁ ଏହା ଏକ ବଡ ଆହ୍ୱାନ ହୋଇ ଛିଡ଼ା ହୋଇଛି । ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରାଯାଇଛି । ରାଜଧାନୀ ଢାକାରେ ଅଧିକ ହିଂସାକୁ ରୋକିବା ପାଇଁ ପୋଲିସ ଦିନରେ ସମସ୍ତ ଜନସମାବେଶ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କଠୋର ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରେସ ସେକ୍ରେଟାରୀ ନଇମୁଲ ଇସଲାମ ଖାନ ଏଏଫପିକୁ ସୂଚନା ଦେଇଥିବା ଜଣାପଡ଼ିଛି ।
ଆନ୍ଦୋଳନ ଯୋଗୁଁ ବାଂଲାଦେଶରେ ବସ୍, ଟ୍ରେନ୍ ଓ ମେଟ୍ରୋ ସେବା ସ୍ଥଗିତ ରଖାଯାଇଛି । ହିଂସା ନିୟନ୍ତ୍ରଣ ପାଇଁ ସରକାର ମୋବାଇଲ ଇଣ୍ଟରନେଟ ସେବା ସ୍ଥଗିତ ରଖିଛନ୍ତି। ସ୍କୁଲ, କଲେଜ ସହିତ ମଦ୍ରାସା ମଧ୍ୟ ଅନିଶ୍ଚିତକାଳ ପାଇଁ ବନ୍ଦ କରିଛନ୍ତି। ପୂରା ଦେଶରେ ସେନାକୁ ରାଜରାସ୍ତାରେ ମୁତୟନ କରାଯାଇଛି। ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ନିକଟରେ ଏକ ସରକାରୀ ନ୍ୟାସନାଲ ଟେଲିଭିଜନରେ ଆସି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଦେଶରେ ପ୍ରଦର୍ଶନକାରୀ ଅଧିକ କ୍ରିୟାଶୀଳ ହୋଇଉଠିଛନ୍ତି । ଉତ୍ତେଜିତ ଲୋକେ ସରକାରୀ ଟେଲିଭିଜନ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଏହି ସମୟରେ ସାମ୍ବାଦିକମାନଙ୍କ ସହିତ ପାଖାପାଖି ୧୨୦୦ କର୍ମଚାରୀ ଉପସ୍ଥିତ ଥିଲେ। ପୁଲିସ-ପ୍ରଶାସନ ବହୁ କଷ୍ଟରେ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।