ନୂଆଦିଲ୍ଲୀ: ଗାଜା ଓ ଇରାନ ପରେ ଏବେ ଇସ୍ରାଏଲର ଡ୍ରୋନ୍ ଆକ୍ରମଣ ଯୋଗୁଁ ସିରିଆର ଡାମାସ୍କସ୍ ସହର ଧୂଆଁ ଧୂଆଁ ହୋଇ ପଡ଼ିଛି। ବିସ୍ଫୋରଣ ହେବା ମାତ୍ରେ ସମଗ୍ର ଅଞ୍ଚଳ ଧୂଆଁରେ ଆଚ୍ଛାଦିତ ହୋଇଯାଇଥିଲା। ବୁଧବାର ଏହି ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସ୍ଥିତି ଏମିତି ଯେ ସହରରେ ଆକ୍ରମଣ ସମୟରେ ଆଙ୍କରଙ୍କୁ ଟିଭି ଚ୍ୟାନେଲରେ ଲାଇଭ୍ କାର୍ଯ୍ୟକ୍ରମ ଛାଡି ଦୌଡ଼ି ପଳାଇବାକୁ ପଡିଥିବା ଭିଡିଓରେ ଦେଖିବାକୁ ମିଳିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଆକ୍ରମଣ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ଏଥିରେ ସେ ଡ୍ରୁଜ୍ ସମ୍ପ୍ରଦାୟର ଲୋକଙ୍କୁ ଅପିଲ୍ କରିଛନ୍ତି।
ଏହି ଆକ୍ରମଣରେ ଇସ୍ରାଏଲ ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ସେନା ମୁଖ୍ୟାଳୟକୁ ଟାର୍ଗେଟ କରିଛି। ଇସ୍ରାଏଲ ସେନା ଡ୍ରୋନ୍ ଏବଂ ବୋମା ସାହାଯ୍ୟରେ ଆକ୍ରମଣ କରିଛନ୍ତି। ଇସ୍ରାଏଲ ଏହି ଆକ୍ରମଣ କରିଥିବା ସ୍ଵୀକାର କରିଛି। ଏହା ଡ୍ରୁଜ୍ ଉପରେ ଆକ୍ରମଣର ପ୍ରତିଶୋଧ ନିଆଯାଇଥିବା କୁହାଯାଇଛି। ଦ ଟାଇମ୍ସ ଅଫ୍ ଇସ୍ରାଏଲର ଏକ ରିପୋର୍ଟ ଅନୁଯାୟୀ, IDF କହିଛି ଯେ ବୁଧବାର ଦିନ ଡାମାସ୍କସ୍ରେ ସିରିଆନ୍ ଜେନେରାଲ ଷ୍ଟାଫ୍ କମାଣ୍ଡ୍ କୋଠା ଏବଂ ସିରିଆନ୍ ରାଷ୍ଟ୍ରପତି ଭବନ ନିକଟରେ ଥିବା ଅନ୍ୟ ଏକ ସାମରିକ ଲକ୍ଷ୍ୟସ୍ଥଳ ଉପରେ ପ୍ରବଳ ଆକ୍ରମଣ କରାଯାଇଥିଲା।
IDF କହିଛି ଯେ ଦକ୍ଷିଣ ସିରିଆର ଡ୍ରୁଜ୍ ଅଧ୍ୟୁଷିତ ସ୍ୱେଇଡା ସହରକୁ ଯାଉଥିବା ସିରିଆର ଟ୍ୟାଙ୍କ, ରକେଟ୍ ଲଞ୍ଚର ଏବଂ ମେସିନ୍-ଗନ୍ ସଜ୍ଜିତ ପିକଅପ୍ ଟ୍ରକ୍ ଉପରେ ଆକ୍ରମଣ ହୋଇଛି। ଆକ୍ରମଣରେ ସିରିଆର ବ୍ୟାପକ କ୍ଷତି ହୋଇଛି। ଇସ୍ରାଏଲୀ ସେନା କହିଛି ଯେ IDF ଦକ୍ଷିଣ ସିରିଆରେ ଡ୍ରୁଜ୍ ନାଗରିକଙ୍କ ବିରୁଦ୍ଧରେ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖିଛି।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ସିରିଆରେ ହୋଇଥିବା ଆକ୍ରମଣ ସମ୍ପର୍କରେ ଏକ ବିବୃତ୍ତି ଜାରି କରିଛନ୍ତି। ସେ ଡ୍ରୁଜ୍ ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ବୋଧିତ କରି କହିଛନ୍ତି, ସୁୱାଡା ଏବଂ ଦକ୍ଷିଣ-ପଶ୍ଚିମ ସିରିଆର ପରିସ୍ଥିତି ବହୁତ ଗମ୍ଭୀର। ଇସ୍ରାଏଲୀ ସେନା ଏବଂ ବାୟୁସେନା ଏହି ଅଞ୍ଚଳଗୁଡ଼ିକରେ ଅପରେସନ୍ ଚଳାଇଛନ୍ତି। ଆମେ ଆମର ଡ୍ରୁଜ୍ ଭାଇମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛୁ। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ କରୁଛି, ଆପଣମାନେ ସମସ୍ତେ ଇସ୍ରାଏଲର ନାଗରିକ, ସୀମା ପାର କରନ୍ତୁ ନାହିଁ।