ଆମେରିକାରେ ପାଳନ ହେଲା ବିଶ୍ଵନିୟନ୍ତାଙ୍କ ଘୋଷଯାତ୍ରା । ଜନ୍ମବେଦୀରେ ପହଞ୍ଚିଛନ୍ତି କୋଟି ଓଡ଼ିଆଙ୍କ ମଉଡମଣୀ ଜଗତର ନାଥ ଜଗନ୍ନାଥ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଉତ୍ସାହର ସହ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ କରାଯାଇଛି । ମହାପ୍ରଭୁଙ୍କ ରଥଯାତ୍ରା ଅବସରରେ ଜଗନ୍ନାଥମୟ ହୋଇଯାଇଛି ସାରା ଜଗତ । ଶ୍ରୀଜୀଉଙ୍କ ଏହି ଘୋଷଯାତ୍ରାକୁ ଭାରତର ସମସ୍ତ ଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିଲାବେଳେ ବିଦେଶରେ ମଧ୍ୟ ରଥଯାତ୍ରା ପାଳନ କରାଯାଇଛି।
ଆମେରିକାର ଟେକ୍ସାସ ଅନ୍ତର୍ଗତ ରୋଜେନବର୍ଗରେ ପାଳନ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା । ସ୍ଥାନୀୟ ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଏହାର ଆୟୋଜନ କରାଯାଇଥିଲା । ସମସ୍ତ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ଚତୁଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରି ରଥରେ ବିରାଜମାନ କରାଇ ଭକ୍ତମାନେ ଆନନ୍ଦର ସହ ରଥ ଟାଣିଥିଲେ । ଏହି ଉତ୍ସବରେ ପ୍ରବାସୀ ଓଡ଼ିଆମାନଙ୍କ ସହ ବିଭିନ୍ନ ଜାତି ଧର୍ମର ଜଗନ୍ନାଥ ପ୍ରେମୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।
ଏଥିସହ ଛପନଭୋଗର ବ୍ୟବସ୍ଥା କରାଯାଇଥିଲା । କଳାକାରମାନେ ଭଜନ, ସଂକୀର୍ତ୍ତନ ଏବଂ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଆମେରିକାରେ ପ୍ରବାସୀ ଓଡ଼ିଆମାନଙ୍କ ଦ୍ବାରା ଗଠିତ ଜଗନ୍ନାଥ ସଂସ୍କୃତି ଓ ଭକ୍ତ ଆସୋସିଏସନ୍ ପକ୍ଷରୁ ହାଲାମ ରିକ୍ରିଏସନ୍ ରିଜର୍ଭ ଠାରେ ପ୍ରଥମ ଥର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାପ୍ରଭୁଙ୍କ ଏହି ଉତ୍ସବରେ ସାରା ଅଂଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା ।