ଦାମାସ୍କସ୍: ଇସ୍ରାଏଲ ସେନା ହେଜବୁଲ୍ଲାକୁ ଶେଷ କରିବା ଲକ୍ଷ୍ୟରେ ଲେବାନନ ଉପରେ ଲଗାତାର ଆକ୍ରମଣ କରୁଛି। ଇତିମଧ୍ୟରେ ଇସ୍ରାଏଲ ସେନାକୁ ଆଉ ଏକ ବଡ଼ ସଫଳତା ମିଳିଛି। ହେଜବୁଲ୍ଲା ମୁଖ୍ୟ ହାସନ ନସରଲ୍ଲାଙ୍କ ଜ୍ୱାଇଁ ହାସନ ଜାଫର ଅଲ-କାସିରଙ୍କୁ ଇସ୍ରାଏଲ ସେନା ହତ୍ୟା କରିଛି। ଗତ ସପ୍ତାହରେ ବେରୁତରେ ହାସନ ନସରଲ୍ଲାଙ୍କୁ ହତ୍ୟା କରାଯାଇଥିଲା। ହାସନ ଜାଫର ଅଲ-କାସିରଙ୍କର ବୁଧବାର ଦାମାସ୍କସରେ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଆଉ ୨ ଜଣ ଲେବାନନ୍ ନିହତ ହୋଇଛନ୍ତି।
ହେଜବୁଲ୍ଲା ସହ ଜଡ଼ିତ ଲେବନାନର ଅଲ୍-ମାୟାଦୀନ୍ ନେଟୱାର୍କ କହିଛି ଯେ ଏହି ବିସ୍ଫୋରଣ ପରେ ସିରିଆର ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହୋଇଛି। ଲାଟାକିଆ ଓ ଟାର୍ଟାସ୍ ରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା।
ବର୍ତମାନ ଯୁଦ୍ଧର କେନ୍ଦ୍ରବିନ୍ଦୁ ହେଉଛି ଲେବାନନ୍ ଦକ୍ଷିଣ। ଗୁରୁବାର ସକାଳେ ଇସ୍ରାଏଲ ସେନା କେନ୍ଦ୍ରୀୟ ବେରୁତ ଉପରେ ବୋମା ମାଡ଼ କରିଥିଲା। ଏହି ଆକ୍ରମଣରେ ଅତି କମରେ ୬ ଜଣ ହିଜବୁଲ୍ଲା ଯୋଦ୍ଧା ନିହତ ହୋଇଥିଲେ। ଏଥିରେ ୭ ଜଣ ଆହତ ହୋଇଛନ୍ତି। ଏହା ପୂର୍ବରୁ ହେଜବୁଲ୍ଲାରେ ୮ ଜଣ ଇସ୍ରାଏଲ ସୈନିକ ନିହତ ହୋଇଥିଲେ।
ସେହିପରି ମଙ୍ଗଳବାର ବିଳମ୍ବିତ ରାତିରେ ଇରାନ ଇସ୍ରାଏଲ ଉପରକୁ ୧୮୦ଟି ବ୍ୟାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହା ହାସନ ନସରଲ୍ଲାଙ୍କ ମୃତ୍ୟୁର ପ୍ରତିଶୋଧ ବୋଲି ଇରାନ କହିଛି। ଏଥିସହିତ ଇସ୍ରାଏଲ ମଧ୍ୟ ଇରାନ ଆକ୍ରମଣର କଡ଼ା ଜବାବ ଦେବାକୁ କହିଛି। ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ଦୁଇ ଦିନ ପରେ ଇସ୍ରାଏଲ ହାସନ ନସରଲ୍ଲାଙ୍କ ଜ୍ୱାଇଁଙ୍କୁ ହତ୍ୟା କରିଛି। ଇସ୍ରାଏଲ ପୁଣି ଥରେ ଇରାନକୁ ଚ୍ୟାଲେଞ୍ଜ କରିଛି। ଆସନ୍ତୁ ଦେଖିବା ଇରାନ ଏବେ କ'ଣ କରିଥାଏ।
ସୂଚନାଯୋଗ୍ୟ, ସୋମବାର ଇସ୍ରାଏଲ ସେନା ଲେବାନନ୍ ସୀମାରେ ପ୍ରବେଶ କରିଥିଲା।