ନୂଆଦିଲ୍ଲୀ: ହିଜବୁଲ୍ଲା ଆତଙ୍କବାଦୀ ଏବଂ ଇସ୍ରାଏଲ ମଧ୍ୟରେ ଆକ୍ରମଣ ବଢିବାରେ ଲାଗିଛି । ଫଳରେ ଲେବାନନରେ ରହୁଥିବା ନିଜର ନାଗରିକଙ୍କୁ ଆଲର୍ଟ କରିଛି ଆମେରିକା, ଫ୍ରାନ୍ସ, ବ୍ରିଟେନ ଓ କାନାଡା । ଏହି ଦେଶର ସରକାର ନିଜ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଯେତେ ଶୀଘ୍ର ଲେବାନନ ଛାଡି ଦିଅନ୍ତୁ । ଆମେରିକା ବୈଦେଶିକ ବିଭାଗ ଅପିଲ୍ କରିଛି ଯେ ପର୍ଯ୍ୟନ୍ତ ବିମାନ ଚଳାଚଳ ଜାରି ରହିଛି, ତୁରନ୍ତ ଲେବାନନ ଛାଡି ଦିଅନ୍ତୁ । ଆଗାମୀ କିଛି ଦିନରେ ସେଠାରେ ସ୍ଥିତି ଚିନ୍ତା ଜନକ ହୋଇପାରେ । କିଛି ଦିନ ପୂର୍ବେ ଲେବାନନ ଉପରେ ଇସ୍ରାଏଲ ଆକାଶ ମାର୍ଗରୁ ଆକ୍ରମଣ କରିଥିଲା । ଏଥିରେ ହିଜବୁଲ୍ଲାର ଟପ୍ କମାଣ୍ଡର ଅହମ୍ମଦ ବାହବି ସମେତ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା । ଇସ୍ରାଏଲ ଆକ୍ରମଣରେ ଲେବାନନର ରାଜଧାନୀ ବେରୁଟରେ ମୃତକଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି ।
ହିଜବୁଲ୍ଲା ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ସଂଘର୍ଷକୁ ନେଇ ଆମେରିକା ସମେତ ଅନେକ ଦେଶ ଚିନ୍ତାକୁ ଚିନ୍ତାରେ ପକାଇଛି । ଶନିବାର ରାତିେ ଆମେରିକା ବୈଦେଶିକ ମନ୍ତ୍ରଣାଳୟ ଲେବାନନରେ ରହୁଥିବା ଆମେରିକୀୟଙ୍କୁ ଯେତେ ଶୀଘ୍ର ହେବ ଦେଶ ଛାଡି ଦେବାକୁ ଅପିଲ୍ କରିଛି । କାରଣ ଲେବାନନରେ ଆଗାମୀ ଦିନରେ ସ୍ଥିତି ଭୟାବହ ହୋଇପାରେ ବୋଲି ଆମେରିକା ପକ୍ଷରୁ ଆଶଙ୍କା ପ୍ରକାଶ କରାଯାଇଛି । ଫ୍ରାନ୍ସ, ବ୍ରିଟେନ ଓ କାନାଡା ମଧ୍ୟ ନିଜ ଦେଶର ନାଗରିକଙ୍କୁ ସମାନ ଅପିଲ୍ କରିଛନ୍ତି ।
କିଛି ଦିନ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କ୍ୟାବିନେଟରେ ଘୋଷଣା କରିଥିଲେ ଯେ, ଏବେ ଇସ୍ରାଏଲ ଓ ହିଜବୁଲ୍ଲା ମଧ୍ୟରେ ସିଧାସଳଖ ଲଢେଇ ହେବ । ଏହା ପରଠୁ ହିଜାବୁଲ୍ଲା ଉପରେ ଲଗାତାର ହମଲା ଜାରି ରହିଛି । ପେଜର ଏବଂ ୱାକି ଟକି ଆକ୍ରମଣରେ ଅନେକ ହିଜବୁଲ୍ଲା କମାଣ୍ଡରଙ୍କ ମୃତ୍ୟୁ ଘଟିଛି । ଏହି ଆକ୍ରମଣରେ ୪ ହଜାରରୁ ଅଧିକ ଆହତ ହୋଇଛନ୍ତି ।