ନୂଆଦିଲ୍ଲୀ : ଗାଜାରେ ଜାରି ଯୁଦ୍ଧ ମଧ୍ୟରେ ଇସ୍ରାଏଲ ହିଜବୁଲ୍ଲାକୁ ଟାର୍ଗେଟ୍ କରି ଲେବାନନ ଉପରେ ଏୟାର ଷ୍ଟ୍ରାଇକ କରିଛି । ଘନ ଘନ ରକେଟ୍ ଓ ବୋମା ମାଡରେ ଧ୍ୱସ୍ତ ବିଶ୍ୱସ୍ତ ହେବାରେ ଲାଗିଛି ଲେବାନନ । ଏଥିରେ ଏ ପର୍ଯ୍ୟନ୍ତ ୨୭୪ ଜଣଙ୍କ ମୃତ୍ୟୁୁ ଘଟି ସାରିଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଛନ୍ତି । ହିଜବୁଲ୍ଲା ଆତଙ୍କୀ ସଂଗଠନର ୩୦୦ ଆଡ୍ଡା ଉପରେ ଇସ୍ରାଏଲ ହମଲା କରିଥିଲେ ହେଁ ଏôଥିରେ ସାଧାରଣ ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି ।
ଇସ୍ରାଏଲ ଡିଫେନ୍ସ ଫୋର୍ସ ଅନୁଯାୟୀ, ସୋମବାର ସକାଳ ୬ଟା ୩୦(ସ୍ଥାନୀୟ ସମୟ ସକାଳ ୩ଟା ୩୦)ରୁ ସକାଳ ୭ଟା ୩୦ ମଧ୍ୟରେ ହିଜବୁଲ୍ଲାର ୩୦୦ ଠିକଣା ଉପରେ ମିସାଇଲ ଓ ରକେଟ୍ ଜରିଆରେ ୧୫୦ ହମଲା କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ଏକ୍ସରେ ପୋଷ୍ଟ କରି ଆକ୍ରମଣର ଫଟୋ ଜାରି କରିଛି ।
ହିଜବୁଲ୍ଲା ଆତଙ୍କୀ ସଂଗଠନ ବିରୋଧରେ ଗତ ଏକ ବର୍ଷ ଧରି ଚାଲି ଆସିଥିବା ଲଢେଇରେ ଏହା ସବୁଠୁ ବଡ ଏୟାରଷ୍ଟ୍ରାଇକ ଥିଲା । ହଲେଭି ଓ ଅନ୍ୟ ଇସ୍ରାଏଲ ନେତା ଆଗାମୀ ଦିନରେ ହିଜବୁଲ୍ଲା ବିରୋଧରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅନ୍ୟପଟେ ଲେବାନନ ଇସ୍ରାଏଲର ଆକ୍ରମଣକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ସମସ୍ତ ସ୍କୁଲ-କଲେଜ୍ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି ।
ଆଜି ଆକ୍ରମଣର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ ସେନା ପକ୍ଷରୁ ଭିଡିଓ ଜାରି କରାଯାଇ ଦକ୍ଷିଣ ଲେବାନନରେ ରହୁଥିବା ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଥିଲା। ବିଶେଷ କରି ଯେଉଁସ୍ଥାନରେ ଲେବାନନର ସମର୍ଥିତ ସଂଗଠନ ହିଜବୁଲ୍ଲା ଅସ୍ତ୍ରଶସ୍ତ୍ର ସଂରକ୍ଷଣ କରି ରଖୁଛି, ସେଠାରୁ ତୁରନ୍ତ ଚାଲିଯିବାକୁ ପରାମର୍ଶ ଦେଇଥିଲା ଇସ୍ରାଏଲ ସେନା।
ଲେବାନନର ଅଧିକାରୀମାନେ କହିଛନ୍ତି ଯେ ଆକ୍ରମଣ ପୂର୍ବରୁ ଇସ୍ରାଏଲ ପକ୍ଷରୁ ପ୍ରାୟ ୮୦ ହଜାର ଫୋନ କଲ କରାଯାଇ ଲୋକଙ୍କୁ ସେମାନଙ୍କ ଘର ଛାଡ଼ିବାକୁ କୁହାଯାଇଥିଲା। ଇସ୍ରାଏଲ ମଧ୍ୟ ଲେବାନନର ଲୋକଙ୍କୁ ନିଜର ଘର ଛାଡି ଚାଲି ଯିବାକୁ ଅପିଲ୍ କରିଥିଲା । ଟେଲିକମ କମ୍ପାନୀ ଓଗେରୋର ମୁଖ୍ୟ ଇମାଦ କ୍ରେଇଦେଇ ମଧ୍ୟ ଏହି ଖବରକୁ ନିଶ୍ଚିତ କରିଛନ୍ତି। ଇସ୍ରାଏଲର କଲ ପରେ ପୂରା ଦକ୍ଷିଣ ଲେବାନନରେ ଆତଙ୍କ ଖେଳି ଯାଇଥିଲା।