ଇସଲାମାବାଦ: ପାକିସ୍ତାନର ୧୧ଟି ଦେଶର କୂଟନୀତିଜ୍ଞଙ୍କ ଗାଡ଼ିରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଖୈବର ପଖ୍ତୁନଖୱାର ସ୍ୱାତ ଜିଲ୍ଲାରୁ ମାଲମ ଜବା ଅଭିମୁଖେ ଯାଉଥିବା ବିଦେଶୀ ରାଷ୍ଟ୍ରଦୂତଙ୍କ ଏକ ଗାଡ଼ିକୁ ସୁରକ୍ଷା ଦେଉଥିବା ପୁଲିସ ଭ୍ୟାନକୁ ଆତଙ୍କବାଦୀମାନେ ରବିବାର ଟାର୍ଗେଟ କରିଛନ୍ତି।
ଆତଙ୍କବାଦୀମାନେ ରିମୋଟ କଣ୍ଟ୍ରୋଲ ବୋମାରେ ଭ୍ୟାନକୁ ଉଡ଼ାଇବାକୁ ଉଦ୍ୟମ କରିଥିଲେ। ଏହି ବିସ୍ଫୋରଣରେ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ହସ୍ପିଟାଲ ସାଇଦୁ ସରିଫରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି।
ରିପୋର୍ଟ ଅନୁଯାୟୀ ଜିଲ୍ଲା ପୁଲିସ ଅଧିକାରୀ ଜାହିଦୁଲ୍ଲା ଖାନ୍ କହିଛନ୍ତି ଯେ ବିଦେଶୀ କୂଟନୀତିଜ୍ଞଙ୍କ ଏକ ଗୋଷ୍ଠୀକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି। ମୃତ ପୁଲିସ କର୍ମଚାରୀଙ୍କ ନାମ ବୁରହାନ ବୋଲି ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ଜଣେ ସବ୍ ଇନ୍ସପେକ୍ଟର ମଧ୍ୟ ଅଛନ୍ତି। ଯେଉଁ ଭ୍ୟାନ୍କୁ ଟାର୍ଗେଟ କରାଯାଇଥିଲା, ତାହା ଗାଡ଼ିର ସବୁଠୁ ଆଗରେ ଥିଲା।
ସମସ୍ତ ରାଷ୍ଟ୍ରଦୂତ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ଇସଲାମାବାଦ ପଠାଯାଇଛି ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ସମସ୍ତ ରାଷ୍ଟ୍ରଦୂତ ମିଙ୍ଗୋରାରେ ଏକ ଚାମ୍ବର ଅଫ୍ କମର୍ସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହାପରେ ସେମାନେ ମାଲମ ଜବା କୁ ଯାଉଥିଲେ । ଏହାପରେ ଶେରାବାଦରେ ଏହି ବିସ୍ଫୋରଣ ଘଟିଥିଲା। ଏହି କାଫିଲରେ ତାଜିକିସ୍ତାନ, କାଜାଖସ୍ତାନ, ଇରାନ, ଇଥିଓପିଆ, ପର୍ତ୍ତୁଗାଲ, ରୁଷିଆ ସମେତ ୧୧ଟି ଦେଶର ରାଷ୍ଟ୍ରଦୂତ ସାମିଲ ଥିଲେ।
ପାକିସ୍ତାନ ରାଷ୍ଟ୍ରପତି ଆସିଫ୍ ଅଲ୍ଲୀ ଜରଦାରୀ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ଆକ୍ରମଣରେ ସହିଦ ହୋଇଥିବା ପୁଲିସ ଅଧିକାରୀଙ୍କୁ ଜରଦାରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସୂଚନାଯୋଗ୍ୟ, ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ଦାୟିତ୍ୱ ନେଇନାହାନ୍ତି।
୨୦୨୧ରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରେ ପାକିସ୍ତାନରେ ଆତଙ୍କବାଦ ଘଟଣା ବୃଦ୍ଧି ପାଇଛି। ଖାଇବର ପଖ୍ତୁନଖୱା ଏବଂ ବେଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନକୁ ଅଧିକ ଶକ୍ତି ମିଳିଛି। ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର୍ ପିସ୍ ଷ୍ଟଡିଜ୍ ର ତଥ୍ୟ ଅନୁଯାୟୀ, ଗତ ମାସରେ ଏହି ଦୁଇ ପ୍ରଦେଶରେ ମାରାତ୍ମକ ଆକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା।
ଜୁଲାଇରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ୩୮ ଥିଲା। କିନ୍ତୁ ଅଗଷ୍ଟରେ ଏହା ୫୯କୁ ବୃଦ୍ଧି ପାଇଛି। ଅଗଷ୍ଟ ମାସରେ ଖାଇବର ପଖ୍ତୁନଖୱାରେ ୨୯ଟି ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପ୍ରାଣ ହରାଇଥିଲେ।
ଅଧିକ ପଢ଼ନ୍ତୁ: ଶ୍ରୀଲଙ୍କାରକୁ ମିଳିଲା ନୂଆ ରାଷ୍ଟ୍ରପତି