ନ୍ୟୁୟର୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନ୍ୟୁୟର୍କରେ ପାଲେଷ୍ଟାଇନ୍ ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କୁ ଭେଟିଛନ୍ତି। ନ୍ୟୁୟର୍କର ଲୋଟେ ନ୍ୟୁୟର୍କ ପ୍ୟାଲେସ ହୋଟେଲରେ ଦୁଇ ନେତାଙ୍କ ସାକ୍ଷାତ ହୋଇଛି। ସେ ଗାଜାର ମାନବିକ ସ୍ଥିତିକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ପାଲେଷ୍ଟାଇନବାସୀଙ୍କ ପ୍ରତି ଭାରତର ନିରନ୍ତର ସମର୍ଥନ ବିଷୟରେ ସେ କହିଛନ୍ତି।
ଇସ୍ରାଏଲ-ପାଲେଷ୍ଟାଇନ୍ ବିବାଦର ଦୁଇ ରାଷ୍ଟ୍ର ସମାଧାନ ପାଇଁ ଭାରତ ଦୀର୍ଘ ଦିନ ଧରି ବିଚାର କରିଆସୁଛି। ଅକ୍ଟୋବର ୭ରେ ହମାସ ଦ୍ୱାରା ଇସ୍ରାଏଲ ଉପରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବାରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ପ୍ରଥମ ନେତାଙ୍କ ମଧ୍ୟରୁ ଅନ୍ୟତମ ଥିଲେ, କିନ୍ତୁ ଗାଜାର ଖରାପ ସ୍ଥିତିକୁ ନେଇ ଭାରତ ବାରମ୍ବାର ଚିନ୍ତା ପ୍ରକଟ କରିଛି।
ଭାରତ ମଧ୍ୟ ନିଜର ପ୍ରତିଶ୍ରୁତି ଅନୁଯାୟୀ ଗାଜାବାସୀଙ୍କୁ ମାନବିକ ସହାୟତା ପଠାଇଛି। ଜୁଲାଇ ମାସରେ ଭାରତ ୨୦୨୪-୨୫ ବର୍ଷ ପାଇଁ ପାଲେଷ୍ଟାଇନ୍ ଶରଣାର୍ଥୀଙ୍କ ପାଇଁ ମିଳିତ ଜାତିସଂଘର ରିଲିଫ୍ ଆଣ୍ଡ ୱାର୍କସ୍ ଏଜେନ୍ସିକୁ ୨.୫ ନିୟୁତ ଡଲାରର ପ୍ରଥମ କିସ୍ତି ପ୍ରଦାନ କରିଥିଲା।
ପ୍ରଧାନମନ୍ତ୍ରୀ ମୋଦୀ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ କୁଏତ କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଖାଲିଦ୍ ଅଲ୍-ହମାଦ ଅଲ୍-ମୁବାରକ ଅଲ୍-ସାବାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି। କୁଏତର କ୍ରାଉନ୍ ପ୍ରିନ୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-କୁଏତ ଦ୍ୱିପାକ୍ଷିକ ସମ୍ପର୍କର ସମୀକ୍ଷା କରିବା ସହ ଐତିହାସିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଉପରେ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ଓଲିଙ୍କ ସହ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଶତାବ୍ଦୀ ପୁରୁଣା ବହୁମୁଖୀ ଏବଂ ବିସ୍ତାରିତ ଭାରତ-ନେପାଳ ଭାଗିଦାରୀର ସମସ୍ତ କ୍ଷେତ୍ରରେ ସହଯୋଗକୁ ସୁଦୃଢ଼ କରିବା ପାଇଁ ପାରସ୍ପରିକ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଉପରେ ଆଲୋଚନା କରିଥିଲେ।
ଅଧିକ ପଢ଼ନ୍ତୁ: ଭାରତ ଆଉ ସୁଯୋଗ ଅପେକ୍ଷାରେ ନାହିଁ