ୱାଶିଂଟନ: ୟୁକ୍ରେନ୍ ପାଇଁ ଆମେରିକାର ସୁରକ୍ଷା ଗ୍ୟାରେଣ୍ଟି ବା ନାଟୋ ସଦସ୍ୟତା ପ୍ରସ୍ତାବକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ହେବା ପରଠାରୁ ଆମେରିକାର ନୀତିକୁ ବଦଳାଇ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଶେଷ କରିବାକୁ ପ୍ରତିଶ୍ରୁତି ଦେବା ସହ ୟୁକ୍ରେନର ସୁରକ୍ଷା ପାଇଁ ୟୁରୋପୀୟ ସହଯୋଗୀମାନେ ଦାୟିତ୍ୱ ନେବେ ବୋଲି କହିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ରାଷ୍ଟ୍ରପତି ଜେଲେନସ୍କି ଶୁକ୍ରବାର ଦିନ ୱାଶିଂଟନ ଆସୁଛନ୍ତି। କ୍ୟାବିନେଟ୍ ବୈଠକରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଛନ୍ତି ଯେ ସେ ଚାହିଁଲେ ଆମ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ବିରଳ ଖଣିଜ ପଦାର୍ଥ ଏବଂ ଅନ୍ୟାନ୍ୟ ସାମଗ୍ରୀ ସମେତ ହଜାର ହଜାର ବିଲିୟନ ଡଲାରର ଏହା ଏକ ବଡ଼ ଚୁକ୍ତି ହୋଇପାରେ ବୋଲି ଟ୍ରମ୍ପ ଉଲ୍ଲେଖ କରିଛନ୍ତି।
ଟ୍ରମ୍ପ କହିଛନ୍ତି, ମୁଁ ଅଧିକ ସୁରକ୍ଷାର ଗ୍ୟାରେଣ୍ଟି ଦେବି ନାହିଁ। ଆମେ ୟୁରୋପକୁ ତାହା କରିବାକୁ ଦେବୁ। ୟୁରୋପ ହେଉଛି ସେମାନଙ୍କର ପରବର୍ତ୍ତୀ ପଡ଼ୋଶୀ, କିନ୍ତୁ ଆମେ ସୁନିଶ୍ଚିତ କରିବୁ ଯେ ସବୁକିଛି ଠିକ୍ ଅଛି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନ ନାଟୋରେ ଯୋଗ ଦେବାର ସ୍ୱପ୍ନ ଛାଡିବା ଉଚିତ୍। ମୁଁ ଭାବୁଛି ବୋଧହୁଏ ସେଥିପାଇଁ ପୂରା ଘଟଣା ଆରମ୍ଭ ହୋଇଥିଲା।
ଟ୍ରମ୍ପ ଯୁଦ୍ଧ କଥା କହୁଥିଲେ। ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନ୍ କୌଣସି ଠୋସ୍ ସମୟସୀମା ନ ଦେଇ ନାଟୋରେ ୟୁକ୍ରେନର ଚୂଡ଼ାନ୍ତ ସଦସ୍ୟତାକୁ ସମର୍ଥନ କରିଥିଲେ। ୟୁକ୍ରେନ୍ ଓ ଆମେରିକା ଏକ ବଡ଼ ଅର୍ଥନୈତିକ ଚୁକ୍ତି ପାଇଁ ରାଜି ହୋଇଛନ୍ତି। ଏହା ଅଧୀନରେ ୟୁକ୍ରେନ ଆମେରିକାକୁ ବିରଳ ଖଣିଜ ପଦାର୍ଥ ଦେବ ଏବଂ ପ୍ରତିବଦଳରେ ଆମେରିକା ଏହାର ବିକାଶ ଏବଂ ପୁନଃନିର୍ମାଣରେ ସାହାଯ୍ୟ କରିବ। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଏହି ସୂଚନା ଦେଇଛନ୍ତି। କିନ୍ତୁ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେବାର ଅର୍ଥ ଏହି ଚୁକ୍ତିରେ ନାହିଁ।
ଜେଲେନସ୍କିଙ୍କ ଦାବି ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଆମେରିକା ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ଦେବ ନାହିଁ, ୟୁରୋପ ଏହା କରିବା ଉଚିତ୍। ଏହି ଚୁକ୍ତି ୟୁକ୍ରେନ୍ ସେନା ପାଇଁ ଯୁଦ୍ଧ ସମୟରେ ଆବଶ୍ୟକ ସାମରିକ ଉପକରଣ ଆମେରିକାଠାରୁ ପାଇବାପାଇଁ ପଥ ପ୍ରଶସ୍ତ କରିବ।
ଅଧିକ ପଢ଼ନ୍ତୁ: ଅନ୍ତର୍ଜାତୀୟ ସହାୟତା ଉପରେ ପାକିସ୍ତାନ ନିର୍ଭର କରୁଛି