ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) ର ପ୍ରତିଷ୍ଠାତା ତଥା ଭାରତରୁ ପଳାୟନ କରିଥିବା ଲଲିତ ମୋଦୀ ବ୍ରିଟିଶ୍ ନାଗରିକତ୍ୱ ଗ୍ରହଣ କରିଛନ୍ତି । ପଳାତକ ଲଲିତ ମୋଦୀ ଶନିବାର ଦିନ ଘୋଷଣା କରିଛନ୍ତି ଯେ ସେ ୧୫ ସେପ୍ଟେମ୍ବର, ୨୦୨୬ ରେ ଆନୁଷ୍ଠାନିକ ଭାବେ ବ୍ରିଟିଶ୍ ନାଗରିକତ୍ୱ ଗ୍ରହଣ କରିଛନ୍ତି।
ଫେରାର ଥିବା ଲଲିତ ମୋଦୀ ଶନିବାର, ୧୪ ନଭେମ୍ବରରେ ଘୋଷଣା କରିଛନ୍ତି ଯେ ତାଙ୍କୁ ବ୍ରିଟିଶ୍ ନାଗରିକତ୍ୱ ପ୍ରଦାନ କରାଯାଇଛି। ନାଗରିକତ୍ୱ ପାଇବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' (ଏକ୍ସ) ରେ ଏକ ପୋଷ୍ଟ କରି ଏହାକୁ ଏକ ଗର୍ବର ମୁହୂର୍ତ୍ତ ଓ ଏକ ନୂତନ ଅଧ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି ।
ଲଲିତ ମୋଦୀ ଯୁକ୍ତରାଜ୍ୟ (UK) ରୁ କିଛି ଫଟୋ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ସେ ୟୁକେକୁ ନିଜର 'ଘର' ବୋଲି ଉଲ୍ଲେଖ କରିଛନ୍ତି। ୧୪ ନଭେମ୍ବର ୨୦୨୬ରେ, ଅକ୍ସଫୋର୍ଡ ୟୁନିଅନ୍ରେ ସମ୍ବୋଧନ କରିବାର ସୌଭାଗ୍ୟ ମିଳିଲା, ଯେଉଁଠାରେ ସେ ଜୀବନର ଏକ ଅତ୍ୟନ୍ତ ସ୍ୱତନ୍ତ୍ର ଓ ବ୍ୟକ୍ତିଗତ ପର୍ଯ୍ୟାୟ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି ।
ଦୀର୍ଘ ୧୬ ବର୍ଷ ଧରି ବ୍ରିଟେନରେ ରହିବା ପରେ ସେପ୍ଟେମ୍ବର ୧୫ରେ ପରିବାର ଓ ବନ୍ଧୁବାନ୍ଧବଙ୍କ ଗହଣରେ ସେ ବ୍ରିଟିଶ ନାଗରିକତ୍ୱ ପାଇଛନ୍ତି । ୧୪ ନଭେମ୍ବର ୨୦୨୬ରେ ମହାରାଜା ଚାର୍ଲ୍ସ ତୃତୀୟଙ୍କ ଜନ୍ମଦିନରେ ଅବସରରେ ଏହାକୁ ଆନୁଷ୍ଠାନିକଭାବେ ଘୋଷଣା କରିଛନ୍ତି । ଏହି ଅବସରରେ ଲଳିତ ଯୁକେକୁ ପ୍ରଶଂସାରେ ପୋତି ପକାଇଛନ୍ତି । ଏହାକୁ ୟୁକେ ସରକାର ଏବଂ ଅକ୍ସଫୋର୍ଡ ୟୁନିଅନକୁ ସେ ଧନ୍ୟବାଦ ଜଣାଇଛନ୍ତି ।
୨୦୧୦ ମସିହାରୁ ଫେରାର
ଲଳିତ ମୋଦୀ ଜଣେ ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀ ଏବଂ ଇଣ୍ଡିଆନ୍ ପ୍ରିମିୟର୍ ଲିଗର ପ୍ରତିଷ୍ଠାତା । ୨୦୦୮ ମସିହାରେ IPL ଆରମ୍ଭ କରି ସେ ବିଶ୍ୱ କ୍ରିକେଟ୍ର ବ୍ୟବସାୟିକ ରୂପରେଖକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଥିଲେ । ୨୦୧୦ ମସିହାରେ ନୂତନ ଆଇପିଏଲ୍ ଫ୍ରାଞ୍ଚାଇଜି ନିଲାମୀରେ ଆର୍ଥିକ ଅନିୟମିତତା, ମନି ଲଣ୍ଡ୍ରିଂ ଏବଂ କ୍ଷମତାର ଅପବ୍ୟବହାର ଅଭିଯୋଗରେ ବିସିସିଆଇ ତାଙ୍କୁ ନିଲମ୍ବିତ କରିଥିଲା। ଗିରଫଦାରୀ ଏଡ଼ାଇବା ପାଇଁ ସେ ୨୦୧୦ ରେ ଭାରତ ଛାଡ଼ି ଲଣ୍ଡନ ଚାଲିଯାଇଥିଲେ।