ପେଶାୱର: ପାକିସ୍ତାନର ସୁରକ୍ଷା ବାହିନୀ ସାତ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି। ଖାଇବର ପଖତୁନଖ୍ୱା ପ୍ରଦେଶରେ ଦୁଇଟି ପୃଥକ ଅପରେସନରେ ସେନା ଏହି ଆତଙ୍କବାଦୀମାନଙ୍କୁ ନହିତ କରିଛି। ଏକ ବିବୃତ୍ତିରେ, ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସ୍ପିଆର) କହିଛି, "ଫେବ୍ରୁଆରି ୮ ଏବଂ ୯ ମଧ୍ୟ ରାତିରେ, ଆତଙ୍କବାଦୀଙ୍କ ଉପସ୍ଥିତି ଖବର ପାଇ ସୁରକ୍ଷା ବାହିନୀ ଡେରା ଇସମାଇଲ୍ ଖାନ ଜିଲ୍ଲାର ମାଡ୍ଡିରେ ଏକ ଆଇବିଓ ଅପରେସନ୍ ଆରମ୍ଭ କରିଥିଲେ। ସୁରକ୍ଷା ବାହିନୀ ଆତଙ୍କବାଦୀଙ୍କ ଆଡ୍ଡାକୁ ଟାର୍ଗେଟ କରିଥିଲେ। ଏଥିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ ଏବଂ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ।"
ଉତ୍ତର ୱାଜିରିସ୍ତାନ ଜିଲ୍ଲାର ମିର ଅଲି ଅଞ୍ଚଳରେ ଏକ ପୃଥକ ଅପରେସନ ଆରମ୍ଭ କରାଯାଇଥିଲା। ଏଠାରେ ସୁରକ୍ଷା ବାହିନୀ ଚାରି ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ସେନାର ଗଣମାଧ୍ୟମ ଶାଖା କହିଛି ଯେ ଅନ୍ୟ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ଏକ ସଫା ଅଭିଯାନ ଆରମ୍ଭ କରାଯାଇଛି। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ସଫଳ ଅପରେସନ ପାଇଁ ସୁରକ୍ଷା ବାହିନୀକୁ ପ୍ରଶଂସା କରିଛନ୍ତି। ସେ କହିଥିଲେ, "ସମଗ୍ର ଦେଶ ସୁରକ୍ଷା ବାହିନୀକୁ ସଲାମ କରୁଛି। ଆମେ ଦେଶରୁ ଆତଙ୍କବାଦକୁ ମୂଳପୋଛ କରିବାକୁ ସଂକଳ୍ପବଦ୍ଧ।"
ଏହି ଅପରେସନ୍ ଏକ ନିରନ୍ତର ଆତଙ୍କବାଦ ବିରୋଧୀ ପ୍ରୟାସର ଏକ ଅଂଶ। ୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଫେରିବା ପରଠାରୁ, ପାକିସ୍ତାନର ଖାଇବର ପଖତୁନଖ୍ୱା ଏବଂ ବେଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଇଛି। ଖାଇବର ପଖତୁନଖ୍ୱା ଆତଙ୍କବାଦ ଦ୍ୱାରା ସର୍ବାଧିକ ପ୍ରଭାବିତ ଏବଂ ତା'ପରେ ବେଲୁଚିସ୍ତାନ ରହିଛି। ଉଭୟ ରାଜ୍ୟ ଆଫଗାନିସ୍ତାନ ସହିତ ସୀମା ବାଣ୍ଟନ୍ତି।
ଥିଙ୍କ ଟ୍ୟାଙ୍କ ପାକିସ୍ତାନ ଇନଷ୍ଟିଚ୍ୟୁଟ୍ ଫର୍ କନଫ୍ଲିକ୍ଟ ଆଣ୍ଡ୍ ସିକ୍ୟୁରିଟି ଷ୍ଟଡିଜ୍ ର ତଥ୍ୟ ଅନୁଯାୟୀ, ଜାନୁଆରୀ ୨୦୨୫ରେ ଦେଶରେ ଆତଙ୍କବାଦୀ ଆକ୍ରମଣରେ ତୀବ୍ର ବୃଦ୍ଧି ଘଟିଛି। ଗତ ମାସ ତୁଳନାରେ ଏହି ବୃଦ୍ଧି ୪୨ ପ୍ରତିଶତ ଅଧିକ। ତଥ୍ୟ ଦର୍ଶାଉଛି ଯେ ସାରା ଦେଶରେ ଅତି କମରେ ୭୪ଟି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିମଧ୍ୟରୁ ୯୧ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ୩୫ ଜଣ ସୁରକ୍ଷା କର୍ମୀ, ୨୦ ଜଣ ସାଧାରଣ ନାଗରିକ ଏବଂ ୩୬ ଜଣ ଆତଙ୍କବାଦୀ ଅନ୍ତର୍ଭୁକ୍ତ। ଆହତଙ୍କ ସଂଖ୍ୟା ୧୧୭। ଏଥିରେ ୫୩ ଜଣ ସୁରକ୍ଷା କର୍ମୀ, ୫୪ ଜଣ ସାଧାରଣ ନାଗରିକ ଏବଂ ୧୦ ଜଣ ଆତଙ୍କବାଦୀ ଅନ୍ତର୍ଭୁକ୍ତ।
ଅଧିକ ପଢ଼ନ୍ତୁ: ଆଜି ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦୀ