ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାରଠାରୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ଯିବେ। ଫେବ୍ରୁଆରି ୧୧ତାରିଖରେ ମାକ୍ରୋନଙ୍କ ସହ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ। ଏଆଇ ଶିଖର ସମ୍ମିଳନୀ ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନ୍ ଭାରତ-ଫ୍ରାନ୍ସ ସିଇଓ ଫୋରମ୍କୁ ସମ୍ବୋଧିତ କରିବେ।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ମାକ୍ରୋନଙ୍କ ମଧ୍ୟରେ ପ୍ରତିନିଧି ସ୍ତରୀୟ ଆଲୋଚନା ହେବ। ଫେବ୍ରୁଆରି ୧୨ତାରିଖରେ ଉଭୟ ନେତା ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ଉଭୟ ନେତା ମିଳିତ ଭାବେ ମାର୍ସେଲିରେ ଭାରତୀୟ କନ୍ ସୁଲେଟ୍ ଜେନେରାଲକୁ ଉଦ୍ ଘାଟନ କରିବେ। ଫ୍ରାନ୍ସରୁ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯିବେ।
ଏପି ଅନୁଯାୟୀ, ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନ ଏବଂ ବିପଦ ଉପରେ ସାରା ବିଶ୍ୱର ନେତାମାନେ ବିଚାର ବିମର୍ଶ କରିବେ। ବୈଷୟିକ ଜ୍ଞାନକୌଶଳର ଅସଂଖ୍ୟ ବିପଦର ମୁକାବିଲା କରିବା ଏବଂ ସମସ୍ତଙ୍କୁ ଉପକୃତ କରିବା ପାଇଁ ଏଆଇର ସାମର୍ଥ୍ୟକୁ କିପରି ଉପଯୋଗ କରାଯିବ ତାହା ନିର୍ଦ୍ଧାରଣ କରିବା ଏହି ଶିଖର ସମ୍ମିଳନୀର ଉଦ୍ଦେଶ୍ୟ।
ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରଥମ ବିଦେଶ ଗସ୍ତରେ ଅଛନ୍ତି। ସେ ପ୍ୟାରିସ୍ ଏଆଇ ଶିଖର ସମ୍ମିଳନୀରେ ଯୋଗ ଦେବେ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ ତାଙ୍କ ସ୍ୱତନ୍ତ୍ର ଦୂତ ପଠାଇବେ। ଏଥିରେ ୟୁରୋପୀୟ ଆୟୋଗର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍, ଓପନ୍ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍, ମାଇକ୍ରୋସଫ୍ଟ ସଭାପତି ବ୍ରାଡ୍ ସ୍ମିଥ୍ ଏବଂ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ସମେତ ୮୦ଟି ଦେଶର ଅଧିକାରୀ ଓ ସିଇଓ ଅଂଶଗ୍ରହଣ କରୁଛନ୍ତି।
ଅଧିକ ପଢ଼ନ୍ତୁ: ଇଂଲଣ୍ଡକୁ ହରାଇ ସିରିଜ୍ କବଜା କଲା ଭାରତ