ଦିନକୁ ଦିନ ପାକିସ୍ତାନ କାଙ୍ଗାଳ ହେବାକୁ ଲାଗିଲାଣି । ଏ କଥାଟି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଏମଏଲ - ଏନ ନେତା ନୱାଜ ସରିଫ କହିଛନ୍ତି । ନୱାଜଙ୍କ କହିବା କଥା ଭାରତ ଆଜି ଆସି ଚନ୍ଦ୍ରରେ ପହଞ୍ଚିଲାଣି ।
ଆଉ ଭାରତ ଜି-୨୦ ସମ୍ମିଳନୀ ମଧ୍ୟ ଆୟୋଜନ କରିଥିଲା । ଏବେ ଭାରତର ମୁଦ୍ରା ଭଣ୍ଡାରରେ ୬୦୦ ଅରବ ଡଲାର ଜମା ରହିଛି ବୋଲି ସେ କହିଛନ୍ତି । କିନ୍ତୁ ପାକିସ୍ତାନକୁ ଗୋଟେ ଗୋଟେ ଡଲାର ପାଇବା ଲାଗି ଆଜି ଚୀନ୍ ଓ ଅନ୍ୟ ଆରବ ଦେଶମାନଙ୍କ ପାଖରେ ହାତ ପତାଇବାକୁ ପଡୁଛି । ଆଉ ଏବେ ପାକିସ୍ତାନ କାଙ୍ଗାଳ ହେବାର ସବୁ ସୀମା ପାର କରିସାରିଲାଣି । ଏବେ ପାକିସ୍ତାନରେ ଲୋକମାନେ ରୁଟି ଯୋଗାଡ଼ କରିବାକୁ ହାତ ପତଉଛନ୍ତି । ଆଗରୁ ଅଟା, ଘିଅ, ଚିନିବହୁତ ଶସ୍ତାରେ ମିଳୁଥିଲା । ଆଉ ବିଜୁଳି ବିଲ୍ ଲୋକଙ୍କ ପକେଟକୁ ସୁହାଉଥିଲା । ବର୍ତ୍ତମାନ ବିଜୁଳି ବିଲ୍ ମାସିକ ୩୦ ହଜାର ଟଙ୍କା ଆସୁଛି । ଏତେ ଟଙ୍କା ଯଦି ଲୋକେ ବିଜୁଳି ବିଲ୍ ଦେବେ ତାହାଲେ ଖାଇବେ କଣ ? ଓ ନିଜ ପିଲାଙ୍କ ପେଟ ପାଇଁ କ’ଣ ରଖିବେ । ଦେଶର ଏହି ଅବସ୍ଥା ଯେଉଁମାନେ କରିଛନ୍ତି ସେମାନେ ଦେଶ ପାଇଁ ସବୁଠାରୁ ବଡ ଶତ୍ରୁ ବୋଲି ନୱାଜ ସରିଫ କହିଛନ୍ତି । ଦେଶର ଏଭଳି ଅବସ୍ଥା ପାଇଁ ସରିଫ ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ପୂର୍ବତନ ଆଇଏସ୍ଇ ମୁଖ୍ୟ ଫୈଜ ହମିଦ ଓ ପୂର୍ବତନ ପ୍ରଧାନ ବିଚାରପତି ମିଆଁ ସାକିବ ନିସାରଙ୍କୁ ଦାୟୀ କରିଛନ୍ତି । ସେ କହିଛନ୍ତି ଯେ ୧୯୯୦ ମସିହାରେ ଭାରତ ଆମକୁ ଦେଖି ଅର୍ଥନୈତିକ ସଂସ୍କାର ବ୍ୟବସ୍ଥା ଆଣିଥିଲା । ଆଜି ଦେଖନ୍ତୁ ଭାରତ,କେଉଁଠି ଆଉ ଆମେ କେଉଁଠି ।
ସରିଫ କହିଛନ୍ତି ସେ ପାକିସ୍ତାନକୁ ଏକ ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ର କରିଥିଲେ । ଆଜି କିନ୍ତୁ ପାକିସ୍ତାନ ଭିକାରୀ ଦେଶରେ ପରିଣତ ହୋଇଛି । ଏହା ଏକ ଅତି ଲଜ୍ଜାଜନକ କଥା । ବର୍ତ୍ତମାନ ପାକିସ୍ତାନ ଜନତା ପୁଣିଥରେ ତାଙ୍କୁ କ୍ଷମତାକୁ ଫେରାଇ ଆଣି ଦେଶର ଭବିଷ୍ୟତ ସୁଧାରିବାକୁ ଚାହୁଁଥିବା ସରିଫ କହିଛନ୍ତି ।
ଆଗକୁ ପଢନ୍ତୁ :- ନିଲାମ ହେବ ଦୁର୍ଲଭ ଡାଇନୋସର ‘ବେରୀ’ର କଙ୍କାଳ