ନୂଆଦିଲ୍ଲୀ: ଆମେରିକାର ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ରିପବ୍ଲିକାନ୍ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ରାଷ୍ଟ୍ରପତି ନିର୍ବାଚନଜିତିବା ପରେ ଟ୍ରମ୍ପଙ୍କ ସହ କଥାହେବାରେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ପ୍ରଥମ ବିଶ୍ୱ ନେତା।
ଟ୍ରମ୍ପଙ୍କୁ ତାଙ୍କ ବନ୍ଧୁ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ କେବଳ ତାଙ୍କ ବିଜୟକୁ ଐତିହାସିକ ବୋଲି ବର୍ଣ୍ଣନା କରିନାହାନ୍ତି, ବରଂ ତାଙ୍କ ସହ ଭାରତ-ଆମେରିକା ରଣନୈତିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବାକୁ ବାର୍ତ୍ତା ଦେଇଛନ୍ତି। ଏହି ସମୟରେ ଉଭୟ ନେତା ବିଶ୍ୱ ଶାନ୍ତି ପାଇଁ ମିଳିତ ଭାବେ କାମ କରିବେ ବୋଲି କହିଛନ୍ତି। ନିର୍ବାଚନୀ ଗସ୍ତ ସମୟରେ ଅନେକ ଥର ମୋଦୀଙ୍କୁ ନିଜର ସ୍ୱତନ୍ତ୍ର ବନ୍ଧୁ ବୋଲି କହିଥିବା ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆଲୋଚନା ସମୟରେ ଦୋହରାଇଛନ୍ତି ଯେ ସେ ମୋଦୀ ଓ ଭାରତକୁ ନିଜର ପ୍ରକୃତ ବନ୍ଧୁ ବୋଲି ଭାବୁଛନ୍ତି।
ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ରେ ୨୦୧୯ରେ 'ହାଉଡି ମୋଦୀ' ଏବଂ ୨୦୨୦ରେ 'ନମସ୍ତେ ଟ୍ରମ୍ପ' ଭଳି ବଡ଼ ଘଟଣାରେ ମୋଦୀଙ୍କ ସହ ଆମେରିକା ରାଷ୍ଟ୍ରପତିଙ୍କ ବନ୍ଧୁତାର ରଙ୍ଗ ଦ୍ବିତୀୟ ପାଳିରେ ଜାରି ରହିବ ବୋଲି ସ୍ପଷ୍ଟ ହୋଇଛି।
ଟ୍ରମ୍ପଙ୍କୁ ସମ୍ବୋଧିତ କରି ମୋଦୀ ଏକ୍ସରେ ଲେଖିଛନ୍ତି- 'ଆପଣଙ୍କ ଐତିହାସିକ ବିଜୟ ପାଇଁ ମୋ ହୃଦୟରୁ ଅଭିନନ୍ଦନ। ଆପଣଙ୍କ ଶେଷ କାର୍ଯ୍ୟକାଳରେ ଆପଣଙ୍କ ସଫଳତାକୁ ଆଧାର କରି ମୁଁ ଭାରତ-ଆମେରିକା ବୈଶ୍ୱିକ ବ୍ୟାପକ ଏବଂ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ପାଇଁ ଆମର ପାରସ୍ପରିକ ସହଯୋଗକୁ ଅପେକ୍ଷା କରିଛି। ଆସନ୍ତୁ ଆମେ ଆମ ଲୋକଙ୍କ କଲ୍ୟାଣ, ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକାଠି କାମ କରିବା।
ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ (୨୦୧୬-୨୦)ରେ ତାଙ୍କ ସହ ହୋଇଥିବା ସାକ୍ଷାତର ୪ଟି ଭିନ୍ନ ଭିନ୍ନ ଫଟୋ ମଧ୍ୟ ମୋଦି ସେୟାର କରିଛନ୍ତି। ଏଥିରେ ସେପ୍ଟେମ୍ବର ୨୨, ୨୦୧୯ରେ ଆମେରିକାର ହ୍ୟୁଷ୍ଟନ ସହରରେ 'ହାଉଡି ମୋଦୀ' କାର୍ଯ୍ୟକ୍ରମର ଫଟୋ ମଧ୍ୟ ରହିଛି।
ଗତ ଆମେରିକା ନିର୍ବାଚନର ଦୁଇ ମାସ ପୂର୍ବରୁ ଏହି ଘଟଣା ଘଟିଥିଲା। ଏଥିରେ ମୋଦି ତତ୍କାଳୀନ ରାଷ୍ଟ୍ରପତି ଟ୍ରମ୍ପଙ୍କ ହାତ ଧରି 'ଅବକି ବାର-ଟ୍ରମ୍ପ ସରକାର' ସ୍ଲୋଗାନ ଦେଇଥିଲେ। ଯଦିଓ ଟ୍ରମ୍ପ ସେତେବେଳେ ନିର୍ବାଚନ ହାରିଥିଲେ, କିନ୍ତୁ ପାଖାପାଖି ୫ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଛି।
ବିଳମ୍ବିତ ରାତିରେ ଟ୍ରମ୍ପଙ୍କ ସହ କଥା ବାର୍ତ୍ତା ହେବା ପରେ ମୋଦୀ ଏକ୍ସରେ ଲେଖିଥିଲେ- 'ମୋ ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କ ସହ ବହୁତ ଭଲ କଥାବାର୍ତ୍ତା ହୋଇଛି। ତାଙ୍କର ମହାନ ବିଜୟ ପାଇଁ ମୁଁ ତାଙ୍କୁ ଅଭିନନ୍ଦନ ଜଣାଉଛି। ତାଙ୍କ ସହ ମିଶି ବୈଷୟିକ ଜ୍ଞାନକୌଶଳ, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
ଅଧିକ ପଢ଼ନ୍ତୁ: ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଜାରି