ଢାକା: ଚାକିରିରେ ସଂରକ୍ଷଣ ଶେଷ କରିବା ଦାବି ନେଇ ବାଂଲାଦେଶର ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି। କିଛି ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥିବା ଏହି ବିରୋଧ ପ୍ରଦର୍ଶନ ଯୋଗୁଁ ଏପର୍ଯ୍ୟନ୍ତ ୫୦ ଜଣ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ସାରିଛି। ୨୫୦୦ରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ପ୍ରଦର୍ଶନକାରୀମାନେ ଠେଙ୍ଗା-ବାଡ଼ି ଓ ପଥର ଧରି ରାସ୍ତାରେ ବୁଲୁଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଶେଖ ହାସୀନଙ୍କ ନେତୃତ୍ବରେ ପରିଚାଳିତ ସରକାର ଆଇନ-ବ୍ୟବସ୍ଥାର ଚିନ୍ତାଜନକ ସ୍ଥିତିରେ ପହଞ୍ଚିଲା ପରେ ସ୍ଥିତି ନିୟନ୍ତ୍ରଣ ପାଇଁ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିଛି।
ଏହି ହିଂସା ନେଇ ଭାରତ ସରକାର କହିଛନ୍ତି ବାଂଲାଦେଶର ଏହା ଆଭ୍ୟନ୍ତରୀଣ ମାମଲା। ବିଦେଶ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ବାଲ ନିଜର ସାପ୍ତାହିକ ମିଡିଆ ବ୍ରିଫିଂରେ କହିଛନ୍ତି, ପଡୋଶୀ ଦେଶରେ ରହୁଥିବା ୧୫୦୦୦ ଭାରତୀୟ ସୁରକ୍ଷିତ ଅଛନ୍ତି। ଏଥିରେ ୮୫୦୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେ କହିଛନ୍ତି, ବିଦେଶ ମନ୍ତ୍ରାଳୟ ଘଟଣା ନେଇ ସତର୍କ ରହିଛି। ଢାକାରେ ଭାରତୀୟ ଉଚ୍ଚାୟୋଗ ଦେଶ ଫେରିବାକୁ ଚାହୁଁଥିବା ଭାରତୀୟ ଛାତ୍ରଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ପ୍ରଦାନ କରିବା ପାଇଁ ସ୍ଥାନୀୟ ଅଧିକାରୀଙ୍କ ସହିତ ସମନ୍ବୟ କରୁଛନ୍ତି। ଶୁକ୍ରବାର ରାତି ୮ଟା ପର୍ଯ୍ୟନ୍ତ ୧୪୫ ଛାତ୍ରଛାତ୍ରୀଙ୍କ ସମେତ ୨୪୫ ଜଣ ଭାରତୀୟ ବାଂଲାଦେଶରୁ ଫେରି ଆସିଛନ୍ତି।
ଭାରତୀୟ ଉଚ୍ଚାୟୋଗ ୧୩ ଜଣ ନେପାଳି ଛାତ୍ରଛାତ୍ରୀଙ୍କୁ ସହଯୋଗ ପ୍ରଦାନ କରିଛନ୍ତି। ବିଦେଶ ମନ୍ତ୍ରାଳୟର ମୁଖପାତ୍ର କହିଛନ୍ତି, ବାଂଲାଦେଶରେ ଜାରି ଥିବା ହିଂସା ତାଙ୍କର ଆଭ୍ୟନ୍ତରୀଣ ପ୍ରସଙ୍ଗ। ଭାରତୀୟ ନାଗରିକଙ୍କ ସୁରକ୍ଷା ଆମର ଦାୟିତ୍ବ। ଏତି ପାଇଁ ବିଦେଶ ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ନଜର ରଖିଛନ୍ତି। ଭାରତ-ବାଂଲାଦେଶ ସୀମା ସ୍ଥିତ ବେନାପୋଲ-ପେଟ୍ରାପୋଲ, ଗେଡେ-ଦର୍ଶାନା ଓ ତ୍ରିପୁରାରେ ଅଖୌରା-ଅଗରତଲା କ୍ରସିଂ ଛାତ୍ରଛାତ୍ରୀ ଓ ଭାରତୀୟ ନାଗରିକଙ୍କ ପାଇଁ ଖୋଲି ଦିଆଯାଇଛି।
ଆନ୍ଦୋଳନ ଯୋଗୁଁ ବାଂଲାଦେଶରେ ବସ୍, ଟ୍ରେନ୍ ଓ ମେଟ୍ରୋ ସେବା ସ୍ଥଗିତ ରଖାଯାଇଛି। ହିଂସା ନିୟନ୍ତ୍ରଣ ପାଇଁ ସରକାର ମୋବାଇଲ ଇଣ୍ଟରନେଟ ସେବା ସ୍ଥଗିତ ରଖିଛନ୍ତି। ସ୍କୁଲ, କଲେଜ ସହିତ ମଦ୍ରାସା ମଧ୍ୟ ଅନିଶ୍ଚିତକାଳ ପାଇଁ ବନ୍ଦ କରିଛନ୍ତି। ପୂରା ଦେଶରେ ସେନାକୁ ରାଜରାସ୍ତାରେ ମୁତୟନ କରାଯାଇଛି।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସୀନା ନିକଟରେ ଏକ ସରକାରୀ ନ୍ୟାସନାଲ ଟେଲିଭିଜନରେ ଆସି ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ପରେ ଦେଶରେ ପ୍ରଦର୍ଶନକାରୀ ଅଧିକ କ୍ରିୟାଶୀଳ ହୋଇଉଠିଛନ୍ତି। ଉତ୍ତେଜିତ ଲୋକେ ସରକାରୀ ଟେଲିଭିଜନ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଛନ୍ତି। ଏହି ସମୟରେ ସାମ୍ବାଦିକମାନଙ୍କ ସହିତ ପାଖାପାଖି ୧୨୦୦ କର୍ମଚାରୀ ଉପସ୍ଥିତ ଥିଲେ। ପୁଲିସ-ପ୍ରଶାସନ ବହୁ କଷ୍ଟରେ ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା।
ଆନ୍ଦୋଳନ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଏହି କାରଣରୁ ପ୍ରଦର୍ଶନକାରୀମାନେ ଆହତ ହୋଇଥିଲେ। ଢାକା ସମେତ ଦେଶର ଅନ୍ୟସ୍ଥାନରେ ଏବେ ବସ୍, ଟ୍ରେନ୍ ଓ ମେଟ୍ରୋ ସେବା ବନ୍ଦ ରହିଛି। ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଢାକାରେ ଆନ୍ଦୋଳନ ସମୟରେ ରିପୋର୍ଟିଂ ପାଇଁ ଯାଇଥିବା ଜଣେ ସାମ୍ବାଦିକ ମେହନ୍ଦୀ ହାସନଙ୍କ ମୃତ୍ୟୁ ହୋଇଛି। ଢାକାରେ କାନାଡା ବିଶ୍ବବିଦ୍ୟାଳୟର ପରିସରରେ ମଧ୍ୟ ପ୍ରଦର୍ଶନ ହୋଇଛି। ଏହି ବିଶ୍ବବିଦ୍ୟାଳୟର ଛାତ ଉପରେ ଫସିଥିବା ୬୦ ଜଣ ପୁଲିସ କର୍ମଚାରୀଙ୍କୁ ହେଲିକପ୍ଟର ଜରିଆରେ ଉଦ୍ଧାର କରାଯାଇଥିଲା।
ବାଂଲାଦେଶରେ ସଂରକ୍ଷଣ ବ୍ୟବସ୍ଥା
-ସ୍ବାଧୀନତା ସଂଗ୍ରାମୀଙ୍କ ପିଲାଙ୍କୁ ସରକାରୀ ଚାକିରିରେ ୩୦ ପ୍ରତିଶତ ସଂରକ୍ଷଣ ମିଳିଥାଏ
-ବାଂଲାଦେଶରେ ମହିଳାଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି
-ଏହା ବ୍ୟତୀତ ୧୦ ପ୍ରତିଶତ ସଂରକ୍ଷଣ ଭିନ୍ନଭିନ୍ନ ଜିଲ୍ଲା ପାଇଁ ନିର୍ଦ୍ଧାରିତ ହୋଇଛି
-ଏଥନିକ ମାଇନରିଟି ଭଳି ସାନ୍ତାଳ, ପାଖୋ, ତ୍ରିପୁରୀ ଚକମା ଓ ଖାସିଙ୍କ ପାଇଁ ୬ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ହିନ୍ଦୁ ମାନଙ୍କ ପାଇଁ ଭିନ୍ନ ଭାବେ ସଂରକ୍ଷଣ ନାହିଁ
-ମୋଟ ୫୬ ପ୍ରତିଶତ ସଂରକ୍ଷଣ ମାଧ୍ୟମରେ ଚାକିରି ଦିଆଯାଇଥାଏ। ମାତ୍ର ୪୪ ପ୍ରତିଶତ ମେଧା ତାଲିକାରୁ ଚୟନ କରାଯାଏ