ନୂଆଦିଲ୍ଲୀ: ଲେବାନନର ରାଜଧାନୀ ବେରୁତରେ ମଙ୍ଗଳବାର ଘଟିଥିବା ସିରିୟଲ ବ୍ଲାଷ୍ଟରେ ଏ ପର୍ଯ୍ୟନ୍ତ ୯ ଜଣଙ୍କ ମୃତ୍ୟୁ ଘଟିଛି । ଲେବାନନୀ ମିଡିଆ ଅନୁଯାୟୀ, ପେଜରକୁ ନେଇ ହୋଇଥିବା ସିରିୟଲ ବ୍ଲାଷ୍ଟ କାରଣରୁ ଆତଙ୍କୀ ସଂଗଠନର ମାନ୍ୟତା ପାଇଥିବା ହିଜବୁଲ୍ଲା ସହ ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି । ହିଜବୁଲ୍ଲାର ସଦସ୍ୟମାନେ ଯୋଗାଯୋଗ ପାଇଁ ବ୍ୟବହାର କରୁଥିବା ଶତାଧିକ ପେଜର ଆଜି ଏକାଥରେ ବିସ୍ଫୋରଣ ହୋଇଛି। ଫଳରେ ପୂରା ଲେବାନନରେ ଆତଙ୍କ ଖେଳି ଯାଇଛି।
ହିଜବୁଲ୍ଲା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ହିଜବୁଲ୍ଲାର ସଦସ୍ୟଙ୍କ ଦ୍ୱାରା ଯୋଗାଯୋଗ ପାଇଁ ବ୍ୟବହୃତ ପେଜର ମଙ୍ଗଳବାର ସନ୍ଧ୍ୟାରେ ସିରିୟଲ ବିସ୍ଫୋରଣ ହୋଇଥିଲା । ଏହି ରହସ୍ୟମୟୀ ବିସ୍ଫୋରଣ ପଛର କାରଣ ଅଦ୍ୟାବଧି ସ୍ପଷ୍ଟ ଭାବେ ଜଣା ପଡିନି । ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ମୁତୟନ କରାଯାଇଛି । ଆହତମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ଲେବାନନ ସରକରାର ସମସ୍ତ ଲୋକଙ୍କୁ ନିଜ ପାଖରେ ଥିବା ପେଜର ଫୋପାଡ଼ିବା ଦେବା ପାଇଁ କହିଛନ୍ତି ।
ଏହି ଏକାକଳୀନ ବିସ୍ଫୋରଣ ଯୋଗୁ ଏଯାଏ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ହିଜବୁଲ୍ଲା ସଦସ୍ୟଙ୍କ ସହ ପାଖାପାଖି ୨୮୦୦ ସାଧାରଣ ଲୋକ ଆହତ ହୋଇଛି। ପେଜର ବ୍ଲାଷ୍ଟରେ ହିଜବୁଲ୍ଲାର ଶୀର୍ଷ କମାଣ୍ଡର ମଧ୍ୟ ଆହତ ହୋଇଥିବା ଦାବି କରାଯାଉଛି । ସାଉଦିର ମଲହଦାଥ ସମାଚାର ଚ୍ୟାନେଲ ଅନୁସାରେ, ଏବି ବିସ୍ଫୋରଣରେ ଶୀର୍ଷ କମାଣ୍ଡର ସହ ତାଙ୍କ ସହଯୋଗୀ ଏବଂ ପରାମର୍ଶଦାତା ଆହତ ହୋଇଛନ୍ତି । ବିସ୍ଫୋରଣ ଯୋଗୁ ମାର୍କେଟ କମ୍ପ୍ଲେକ୍ସ ଠାରୁ ଆରମ୍ଭ କରି ପରିବା ମାର୍କେଟ ଦୋହଲି ଯାଇଛି। ବିସ୍ଫୋରଣରେ ଲେବାନନରେ ଅବସ୍ଥାପିତ ଇରାନର ଆମ୍ବାସାଡର ମୋଜତାବା ଅମାନି ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ରୟଟର୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ହିଜବୁଲ୍ଲାର ଜଣେ ଅଧିକାରୀ କହିଛନ୍ତି ଯେ ପେଜର୍ସରେ ଏପରି ବିସ୍ଫୋର ସାଂଘାତିକ ସୁରକ୍ଷା ତ୍ରୁଟି। ଇସ୍ରାଏଲ ପକ୍ଷରୁ ସଂଗଠନର ପେଜରଗୁଡ଼ିକୁ ଟାର୍ଗେଟ କରାଯାଇଥିବା ଅଧିକାରୀ ଜଣଙ୍କ ଅଭିଯୋଗ କରିଛନ୍ତି। ତେବେ ଏହା ପଛରେ ଇସ୍ରାଏଲର ହାତ ଥିବା କୁହାଯାଉଛି ।