ଭୁବନେଶ୍ୱର: KFC ଚିକେନ ବିଶ୍ୱର ଏକ ପ୍ରସିଦ୍ଧ ଓ ଖୁବ ଲୋକପ୍ରିୟ ଫାଷ୍ଟ ଫୁଡ ଚେନ । KFC ଫ୍ରାଏଡ଼ ଚିକେନ ଏହାର ସବୁଠାରୁ ଲୋକପ୍ରିୟ ଓ ସିଗ୍ନେଚର ଡ଼ିସ ଅଟେ । ଏହାର ସ୍ବାଦକୁ ଆଉ ଡାଇନିଂ ଟେବଲ ମଧ୍ୟରେ ସୀମିତ ନ ରଖି ଉପଭୋକ୍ତାଙ୍କୁ ଆଉ ଏକ ଭିନ୍ନ ଅନୁଭବ ଦେବା ପାଇଁ KFC ନିଜର ଫ୍ରାଏଡ଼ ଚିକେନ ଫ୍ଲେବରର ଟୁଥପେଷ୍ଟ ସୀମିତ ମାତ୍ରାରେ ବଜ଼ାରରେ ଉପଲବ୍ଧ କରାଇଛି । KFC ଓରାଲ କେୟାର ବ୍ରାଣ୍ଡ ହାଇସ୍ମାଇଲ ସହ ମିଳିତ ପ୍ରକିୟାରେ ଏହି ଟୁଥପେଷ୍ଟକୁ ତିଆରି କରିଛି । ଏହି ଟୁଥପେଷ୍ଟରେ ଫ୍ରାଏଡ଼ ଚିକେନରେ ବ୍ୟବହୃତ ୧୧ଟି ମସଲାର ଫ୍ଲେଭରର ସମ୍ମିଶ୍ରଣ ବ୍ୟବହାରକାରୀଙ୍କୁ ଏକ ନୂତନ ଅନୁଭବ ଦେବ ।
କେଏଫସି ଗଣମାଧ୍ୟମକୁ ଏହି ଟୁଥପେଷ୍ଟ ବିଷୟରେ ବିସ୍ତାର କରି କହିଥିଲେ, ଏହି ଟୁଥପେଷ୍ଟରେ ତୀବ୍ର ରାଗ ଓ ଯୁସି ଚିକେନର ଫ୍ଲେବରକୁ ଆପଣ ନିଜ ମୁହଁରେ ଅନୁଭବ କରିପାରିବେ ଏବଂ ପରିଶେଷରେ ଏକ ରିଫ୍ରେସିଂ ଓ ସଫା ଅନୁଭବ ଦେବ ।
ହାଇସ୍ମାଇଲର ମାର୍କେଟିଂ ବ୍ରାଣ୍ଡ ମ୍ୟାନେଜର କୋବେନ ଜୋନ୍ସ ଉତ୍ସାହିତ ହୋଇ ନିଜ ମତ ପ୍ରକାଶ କରି କହିଥିଲେ, ' ଆମେ ଆମର ପରିସୀମାକୁ ଆହୁରି ବର୍ଦ୍ଧିତ କରିବାକୁ ସବୁବେଳେ ପ୍ରୟାସ କରୁ । KFCର କିମ୍ବଦନ୍ତୀ ସ୍ୱାଦକୁ ପ୍ରତିଦିନର ଅତ୍ୟାବଶ୍ୟକୀୟ ଜିନିଷ ଭାବରେ ଆଣିବା ଠାରୁ ଆଉ ଭଲ ଉପାୟ କ'ଣ ହୋଇପାରେ ?" ସେ ଆହୁରି ମଧ୍ୟ କହିଛନ୍ତି, "ଏହି ସହଭାଗିତା ଖୁବ ଅପ୍ରତ୍ୟାଶିତ, ସାହସିକ ଏବଂ ମଜାଦାର ଅନୁଭବ ଥିଲା ।"
ତେବେ ଏହି ଟୁଥପେଷ୍ଟଟି ହାଇସ୍ମାଇଲର ୱେବସାଇଟରେ ପ୍ରଥମେ ସୀମିତ ସଂଖ୍ୟାରେ ଉପଲବ୍ଧ ହୋଇଥିଲା । ଏହାର ମୂଲ୍ୟ ୧୩ ଡ଼ଲାର ବା ଭାରତୀୟ ମୁଦ୍ରାରେ ୧୧୨୩ ଟଙ୍କା ରହିଛି । ଏହା ମାତ୍ର କିଛି ଘଣ୍ଟା ମଧ୍ୟରେ ମଙ୍ଗଳବାର ସୁଦ୍ଧା ବିକ୍ରି ହୋଇଯାଇଥିଲା ।