ୱାଶିଂଟନ୍: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ରବିବାର ବଡ଼ ଘୋଷଣା କରି କହିଛନ୍ତି, ସେ ୨୦୨୪ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରୁ ନିଜର ନାମ ଫେରାଇ ନେଇଛନ୍ତି। ଏଥି ସହିତ ସେ ସ୍ପଷ୍ଟ କରିଦେଇଛନ୍ତି ଯେ, ଆମେରିକାୀୟ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ଦାବିଦାର ନୁହଁନ୍ତି। ବାଇଡେନ୍ଙ୍କ ଏହି ନିଷ୍ପତ୍ତି ଏଭଳି ଏକ ସମୟରେ ଆସିଛି, ଯେତେବେଳେ ଡେମୋକ୍ରାଟ୍ସ ତାଙ୍କ ଉପରେ ଲଗାତାର ଚାପ ପ୍ରୟୋଗ କରୁଛି। ଡେମୋକ୍ରାଟ୍ସ ତରଫରୁ କୁହାଯାଇଛି ଯେ, ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ଜୋ ବାଇଡେନ୍ ଲଗାତାର ଦୁର୍ବଳ ହେବାକୁ ଯାଉଛନ୍ତି।
ରାଷ୍ଟ୍ରପତି ପଦବି ପାଇଁ ନିର୍ବାଚନରୁ ନିଜର ନାମ ଫେରାଇ ନେଲା ପରେ ସେ ଘୋଷଣା କରି କହିଛନ୍ତି, ତାଙ୍କ ପାଇଁ ସୌଭାଗ୍ୟର ବିଷୟ ଯେ, ସେ ଆମେରିକାର ରାଷ୍ଟ୍ରପତି ଭାବେ ସାଧାରଣ ଜନତାଙ୍କର ସେବା କରିଛନ୍ତି। ଏଥି ସହିତ ସେ କହିଛନ୍ତି, ପାର୍ଟି ଓ ଦେଶର ସ୍ବାର୍ଥ ପାଇଁ ପୁଣି ଥରେ ନିର୍ବାଚନ ଲଢ଼ିବାକୁ ଚାହୁଁ ନାହିଁ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବାଇଡେନ୍ କହିଛନ୍ତି, ମୋର ଡେମୋକ୍ରେଟ୍ସ ସହଯୋଗୀ, ମୁଁ ପ୍ରାର୍ଥୀପତ୍ର ମଂଜୁର ନକରିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ମୁଁ ନିଜର ପୂରା ବଳ ରାଷ୍ଟ୍ରପତି ଭାବେ ବାକି ସମୟ ସଠିକ ଭାବେ ପରିଚାଳନା କରିବି।
ବାଇଡେନ୍ କହିଛନ୍ତି, ୨୦୨୦ର ନିର୍ବାଚନରେ ରାଷ୍ଟ୍ରପତି ପଦର ଦାବିଦାର ହେବା ସହିତ ତାଙ୍କ ପ୍ରଥମ ନିଷ୍ପତ୍ତି କମଳା ହାରିସଙ୍କୁ ଉପରାଷ୍ଟ୍ରପତି ଭାବେ ଚୟନ କରିଥିଲି। ଆଜି ମୁଁ ଚାହୁଁଛି କମଳା ହାରସି ଏହି ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତୁ।
ପୂର୍ବରୁ ମଧ୍ୟ ଅନୁମାନ କରାଯାଉଥିଲା ଯେ, ଭାରତୀୟ ବଂଶୋଦ୍ଭବ ତଥା ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ ରାଷ୍ଟ୍ରପତି ପଦବି ପାଇଁ ଦଳୀୟ ପ୍ରାର୍ଥୀ ହୋଇପାରନ୍ତି। ନ୍ୟାସନାଲ ଆଶୋସିଏସନ୍ ଫର ଆଡଭାନ୍ସମେଣ୍ଟ ଅଫ କୁଲରଡ ପିପୁଲ (ଏନ୍ଏଏସିପି)ର ବାର୍ଷିକ ସମ୍ମିଳନୀରେ ଯୋଗଦେଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଗତ ୧୬ ତାରିଖରେ ଏହି ସଂକେତ ଦେଇଥିଲେ। ମାତ୍ର ଏହି ବୟାନ ଦେବା ସହିତ ବାଇଡେନ୍ ଥଟ୍ଟାମଜା କରିଥିଲେ। କିନ୍ତୁ ଯେଉଁ ଭଳି ଭାବେ ବାଇଡେନ୍ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ରହିଛି, ଆମେରିକାରେ ରାଷ୍ଟ୍ରପତି ଦୌଡରୁ ବାହାରରେ ରହିବାକୁ ଦାବି ମଧ୍ୟ ହେଉଥିଲା। ତେଣୁ ବାଇଡେନ୍ଙ୍କ ବୟାନକୁ ନେଇ ରାଜନୈତିକ ବିଶେଷଜ୍ଞମାନେ କଳ୍ପନା ଜଳ୍ପନା କରୁଥିଲେ।
ସୂଚନାଯୋଗ୍ୟ, ଯେତେବେଳେ କମଳା ହାରିସଙ୍କ ମା’ଙ୍କୁ ୧୯ ବର୍ଷ ବୟସ ହୋଇଥିଲା, ସେହି ସମୟରେ ସେ ଭାରତରୁ ଆମେରିକା ଚାଲି ଆସିଥିଲେ। ହାରିସ୍ କୁହନ୍ତି, ଜଣେ ଭାରତୀୟ କୃଷ୍ଣକାୟ ମହିଳା ତଥା ତାଙ୍କ ମା’ଙ୍କ ପାଇଁ ସେ ଗର୍ବିତ । ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି କମଳା ହାରିସ ତାଙ୍କ ରାଜନୈତିକ ଜୀବନରେ ଅନେକ ‘ପ୍ରଥମ’ ଯୋଡ଼ି ପାରିଛନ୍ତି। ସେ ଆମେରିକାର ପ୍ରଥମ ମହିଳା, ପ୍ରଥମ କୃଷ୍ଣକାୟ, ପ୍ରଥମ ଭାରତୀୟ-ଆମେରିକୀୟ ଏବଂ ପ୍ରଥମ ଏସୀୟ ଉପରାଷ୍ଟ୍ରପତି ହେବାର ଗୌରବ ଅର୍ଜନ କରିଛନ୍ତି। କମଳା ହାରିସଙ୍କ ଭାରତ ସହ ସମ୍ପର୍କ ଏବେ ଉଭୟ ଭାରତ ଓ ଆମେରିକା ପାଇଁ ଅନେକ ଗୁରୁତ୍ବ ବହନ କରୁଛି। ୫୯ ବର୍ଷୀୟ କାଲିଫର୍ଣ୍ଣିଆ ସିନେଟର କମଳା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବା ଆମେରିକା ଗଣତନ୍ତ୍ରର ସଫଳତାକୁ ପ୍ରମାଣିତ କରୁଛି। ତତ୍କାଳୀନ ଆମେରିକା ରାଷ୍ଟ୍ରପତି ବାରାକ ଓବାମାଙ୍କ ସହ କମଳା ହାରିସଙ୍କ ଅନେକ ସାମଞ୍ଜସ୍ୟ ଲକ୍ଷ୍ୟ କରି ଅନେକ କମଳାଙ୍କୁ ବାରାକ ଓବାମାଙ୍କ ମହିଳା ରୂପ ଭାବେ ସମ୍ବୋଧନ କରୁଥିଲେ। ୨୦୧୬ରେ ସିନେଟ୍ ନିର୍ବାଚିତ ହେବା ପରେ କମଳା ହାରିସଙ୍କୁ ବାରାକ ଓବାମାଙ୍କ ଶ୍ରେଷ୍ଠ ପ୍ରତିନିଧି ଭାବେ ଗଣାଯାଉଥିଲା। କମଳାଙ୍କ ବାପା ଡୋନାଲ୍ଡ ହାରିସ ଜାମାଇକାର ନାଗରିକ ଥିବା ବେଳେ ମା’ ଶ୍ୟାମଳା ଗୋପାଳନ୍ ଜଣେ ଭାରତୀୟ ଥିଲେ। ବୃତ୍ତିରେ ଶ୍ୟାମଳା ଜଣେ କ୍ୟାନ୍ସର ରୋଗ ବିଶେଷଜ୍ଞ ଡାକ୍ତର ଥିଲେ। କମଳାଙ୍କ ଏ ସଫଳତା ପଛରେ ମା’ଙ୍କର ଏକ ବଡ଼ ପ୍ରଭାବ ରହିଛି।