ଜେରୁସେଲମ : ଇରାନ ସହିତ ବଢୁଥିବା ଉତ୍ତେଜନା ମଧ୍ୟରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ଇସ୍ରାଏଲ । ଇସ୍ରାଏଲ ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସଙ୍କୁ ଇସ୍ରାଏଲରେ ଅବାଞ୍ଛିତ ଘୋଷଣା କରାଯାଇଛି ଓ ଦେଶକୁ ତାଙ୍କର ଗସ୍ତ ଉପରେ ରୋକ ଲଗା ଯାଇଛି। ଯିଏ ଇରାନର ଜଘନ୍ୟ ଆକ୍ରମଣକୁ ସ୍ପଷ୍ଟ ରୂପେ ନିନ୍ଦା କରି ପାରୁନାହାନ୍ତି, ଇସ୍ରାଏଲ ମାଟିରେ ପାଦ ରଖିବା ତାଙ୍କର ଅଧିକାର ନାହିଁ ବୋଲି ବୈଦେଶିକମନ୍ତ୍ରୀ କହିଛନ୍ତି।
ଇସ୍ରାଏଲ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଗୁଟେରସ ଏପରି ଜଣେ ଜାତିସଂଘ ମହାସଚିବ ଯିଏ ଏ ପର୍ଯ୍ୟନ୍ତ ୭ ଅକ୍ଟୋବର ହମାସ ହତ୍ୟାକାରୀଙ୍କ ଦ୍ୱାରା ହୋଇଥିବା ନରସଂହାର ଓ ଯୌନ ଅତ୍ୟାଚାରର ନିନ୍ଦା କରି ନାହାନ୍ତି, କି ହମାସକୁ ଆତଙ୍କବାଦ ସଙ୍ଗଠନ ଘୋଷଣା କରିବା ପାଇଁ କୌଣସି ଉଦ୍ୟମର ନେତୃତ୍ୱ ମଧ୍ୟ କରି ନାହାନ୍ତି। ଆଣ୍ଟୋନିୟୋ ଗୁଟେରସ ଯିଏ ହମାସ, ହିଜବୁଲ, ହୁତି ଓ ଏବେ ଇରାନ ଆତଙ୍କବାଦୀଙ୍କୁ ସମର୍ଥନ କରୁଛନ୍ତି। ତାଙ୍କୁ ଜାତିସଂଘ ସଚିବ ଭାବେ ଏକ ଦାଗ ରୂପେ ମନେ ରଖାଯିବ।
ତେବେ ଇସ୍ରାଏଲ ଗୁଟେରେସଙ୍କ ସହଯୋଗ ବିନା ନିଜ ନାଗରିକଙ୍କ ସୁରକ୍ଷା ଓ ରାଷ୍ଟ୍ରୀୟ ଗୌରବ କାୟମ ରଖିବାରେ ସକ୍ଷମ ହେବ ବୋଲି ବୈଦେଶିକ ମନ୍ତ୍ରୀ କହିଛନ୍ତି। ହିଜବୁଲ ମୁଖ୍ୟ ହସନ ନସରଲ୍ଲାର ମୃତ୍ୟୁ ପରେ ପ୍ରତିଶୋଧ ନେବା ପାଇଁ ଇରାନ ଏବେ ଇସ୍ରାଏଲ ଉପରେ ସିଧାସଳଖ ଆକ୍ରମଣ କରିଛି। ତେଲଆଭିବ ଓ ଜେରୁଜେଲମ ସମେତ ଅନ୍ୟ ସହରକୁ ଏବେ ଇରାନ କ୍ଷେପଣାସ୍ତ୍ରରେ ଟାର୍ଗେଟ କରୁଛି। ଇସ୍ରାଏଲର ଆଇରନ ଡୋମ ସୁରକ୍ଷା ପ୍ରଣାଳୀକୁ ଆକ୍ଟିଭ କରିଦିଆଯାଇଛି ଓ ଲୋକଙ୍କୁ ବଙ୍କରମାନଙ୍କରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇରାନର ଆକ୍ରମଣ ପରେ ଇସ୍ରାଏଲର ଆଇରନ ଡୋମ ସକ୍ରିୟ ହୋଇଉଠିଛି ଓ ପୁରା ଇସ୍ରାଏଲରେ ଏବେ ସାଇରନ ବାଜୁଛି। ତେବେ ଇରାନ ଉଚିତ ସମୟରେ ଜବାବ ଦିଆଯିବ ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ବୁଧବାର କହିଛି। ପ୍ରତିଶୋଧର ସମୟ ଓ ତାରିଖ ଆମେ ନିର୍ଦ୍ଧାରଣ କରିବୁ ବୋଲି ଆଇଡିଏଫ କହିଥିବା ବେଳେ ଏବେ ନାଗରିକଙ୍କ ସୁରକ୍ଷା ଉପରେ ଜୋର ଦେଉଛି। ଆଇଡିଏଫ ମୁଖପାତ୍ର କହିଛନ୍ତି ଯେ ଆମେ ଆମକୁ ବଞ୍ଚାଇବା ପାଇଁ କୌଣସି ସୀମାକୁ ବି ଯାଇପାରୁ।