ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ହିଜବୁଲ୍ଲା ମୁଖ୍ୟ ନସରଲ୍ଲାର ମୃତ୍ୟୁର ପ୍ରତିଶୋଧରେ ଆଜି ଇସ୍ରାଏଲ ଉପରେ ୧୫୦ରୁ ଅଧିକ ମସାଇଲ ଓ ରକେଟ ମାଡ଼ କରିଛି ଇରାନ। ଏହାରି ମଧ୍ୟରେ ଇସ୍ରାଏଲରେ ରହୁଥିବା ନିଜ ନାଗରିକଙ୍କୁ ଆଲର୍ଟ କରିଛି ଭାରତ । ଇସ୍ରାଏଲରେ ଅବସ୍ଥାପିତ ଭାରତୀୟ ଦୂତାବାସ ମଙ୍ଗଳବାର ନିଜର ସମସ୍ତ ନାଗରିକଙ୍କ ପାଇଁ ସୁରକ୍ଷା ପରାମର୍ଶ ଜାରି କରିଛି। ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ଦୂତାବାସ ଭାରତୀୟ ନାଗରିକଙ୍କୁ ସତର୍କ ରହିବା ଏବଂ ଆବଶ୍ୟକ ସୁରକ୍ଷା ପ୍ରଟୋକୋଲ ପାଳନ କରିବାକୁ ଅପିଲ୍ କରାଯାଇଛି।
ଦୂତାବାସ ଦ୍ଵାରା ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି ଯେ, ଦୟାକରି ସାବଧାନ ଓ ସତର୍କ ରୁହନ୍ତୁ। ଦେଶରେ ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ। ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଇସ୍ରାଏଲୀ ଅଧିକାରୀଙ୍କ ସହିତ ନିୟମିତ ଯୋଗାଯୋଗରେ ରୁହନ୍ତୁ। ଆବଶ୍ୟକ ସୁରକ୍ଷା ପ୍ରଟୋକୋଲ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ ଇସ୍ରାଏଲରେ ବସବାସ କରୁଥିବା ଭାରତୀୟଙ୍କୁ ଅପିଲ୍ କରାଯାଇଛି।
ଇସ୍ରାଏଲ ଓ ଇରାନ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଇରାନକୁ ପାଲଟା ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତି ଚଳାଇଛି । ଫଳରେ ସ୍ଥିତି ଭୟଙ୍କର ହୋଇପାରେ । ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ଉଠାଇବାକୁ ଯାଉଛି। ଉଲ୍ଲେଖନୀୟ ଇସ୍ରାଏଲରେ ୨୮ ହଜାର ଭାରତୀୟ ବସବାସ କରୁଛନ୍ତି। ଦୂତାବାସ ପକ୍ଷରୁ ଜରୁରୀକାଳୀନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର +972-547520711, +972-543278392।