ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ଆହୁରି ସଙ୍ଗୀନ ହେବାରେ ଲାଗିଛି। ଏହା ମଧ୍ୟରେ ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିୟନ ପଡୋଶୀ ଦେଶକୁ ହମଲା କରି ଥିବାରୁ କ୍ଷମା ମାଗିଛନ୍ତି। ସେ କହିଛନ୍ତି, ଏବେ ଇରାନ ନିଜର ପଡ଼ୋଶୀ ଦେଶକୁ ହମଲା କରିବ ନାହିଁ। ପେଜେଶକିୟନ ଇରାନର ସରକାରୀ ଟେଲିଭିଜନରେ ପ୍ରସାରିତ ଏକ ଭିଡିଓ ସନ୍ଦେଶରେ କହିଛନ୍ତି ଯେ, ମୋତେ ଲାଗୁଛି ସେହି ପଡ଼ୋଶୀ ଦେଶଗୁଡ଼ିକୁ କ୍ଷମା ମାଗିବା ଜରୁରୀ ଯାହାଙ୍କ ଉପରେ ହମଲା ହୋଇଛି। ସେ କହିଛନ୍ତି, ଆମର ପଡ଼ୋଶୀ ଦେଶଗୁଡ଼ିକ ଉପରେ ଆକ୍ରମଣ କରିବାର କୌଣସି ଉଦ୍ଦେଶ୍ୟ ନ ଥିଲା। ଆମେ ଶାନ୍ତି କାଏମ କରିବା ପାଇଁ ସମସ୍ତ ପଡ଼ୋଶୀଙ୍କଠୁ ସହଯୋଗର କାମନା କରିଛନ୍ତି।
ପେଜେଶକିୟନ କହିଛନ୍ତି, ଏବେ ପଡ଼ୋଶୀ ଦେଶ ଉପରେ ହମଲା ନ କରିବାକୁ ସୈନ୍ୟ ବଳକୁ ଆଦେଶ ଦିଆଯାଇଛି। କୁହାଯାଇଛି ପଡ଼ୋଶୀ ଦେଶ ଉପରେ ସେ ପର୍ଯ୍ୟନ୍ତ ହମଲା କରିବ ନାହିଁ ଯେ ପର୍ଯ୍ୟନ୍ତ ସେମାନଙ୍କ ତରଫରୁ ହମଲା ନ ହୋଇଛି। ସେ ଏହା ମଧ୍ୟ କହିଛନ୍ତି, ଯେଉଁମାନେ ଏହି ସୁଯୋଗର ଫାଇଦା ଉଠାଇ ଇରାନ ଉପରେ ହମଲା କରିବାକୁ ଚିନ୍ତା କରୁଛନ୍ତି, ସେମାନଙ୍କୁ ସାମ୍ରାଜ୍ୟବାଦର କାଠପୁତୁଳା ହେବାକୁ ଦେବା ନାହିଁ। ଇସ୍ରାଏଲ କିମ୍ବା ଆମେରିକାର ସମର୍ଥନ ଦେବା ଇଜ୍ଜତ ଓ ସ୍ଵାଧୀନତାର ରାସ୍ତା ନୁହେଁ।
ଇରାନ ଯୁଦ୍ଧ କେତେ ଦିନ ଚାଲିବ ?
ବର୍ତ୍ତମାନ ଏହି ଯୁଦ୍ଧ ଶେଷ ହେବାର କୌଣସି ସଙ୍କେତ ନାହିଁ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନ ଇସ୍ରାଏଲକୁ ୧୫୧ ନିୟୁତ ଡଲାର ମୂଲ୍ୟର ନୂତନ ଅସ୍ତ୍ରଶସ୍ତ୍ର ବିକ୍ରୟକୁ ଅନୁମୋଦନ କରିଛି। ଟ୍ରମ୍ପ କହିଛନ୍ତି ଯେ ଆମେରିକା ଇରାନ ସହିତ ନିଃସର୍ତ୍ତ ଆତ୍ମସମର୍ପଣ ନ କରିବା ପର୍ଯ୍ୟନ୍ତ ଆଲୋଚନା କରିବ ନାହିଁ। ଆମେରିକୀୟ ଅଧିକାରୀମାନେ ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏକ ବଡ଼ ବୋମା ମାଡ଼ ଅଭିଯାନ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ, ଯାହା ଏହି ସପ୍ତାହ ଧରି ଚାଲିଥିବା ସଂଘର୍ଷରେ ସବୁଠାରୁ ତୀବ୍ର।
ଜାତିସଂଘରେ ଇରାନର ରାଷ୍ଟ୍ରଦୂତ କହିଛନ୍ତି ଯେ ଇରାନ ନିଜ ଦେଶକୁ ରକ୍ଷା କରିବା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେବ। ଏହି ସମୟରେ ପଶ୍ଚିମ ତେହେରାନରେ ଶକ୍ତିଶାଳୀ ବିସ୍ଫୋରଣ ଏବଂ ଧୂଆଁର କୁଣ୍ଡ ଦେଖିବାକୁ ମିଳିଛି। ଇସ୍ରାଏଲ କହିଛି ଯେ ଏହା ଇରାନ ଉପରେ ବଡ଼ ଧରଣର ଆକ୍ରମଣର ଏକ ନୂତନ ଲହରୀ ଆରମ୍ଭ କରିଛି। ଜେରୁଜେଲମରେ ମଧ୍ୟ ଜୋରଦାର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଇରାନ ଦ୍ଵାରା ନିକ୍ଷେପ କରାଯାଇଥିବା କ୍ଷେପଣାସ୍ତ୍ର ଯୋଗୁଁ ଇସ୍ରାଏଲର ଲୋକମାନେ ବୋମା ଆଶ୍ରୟସ୍ଥଳକୁ ଦୌଡ଼ୁଥିବା ଦେଖାଯାଇଥିଲା।