ନୂଆଦିଲ୍ଲୀ: ଭାରତ ପରେ ଚୀନକୁ ବଡ ଝଟକା ଦେଲା ବ୍ରାଜିଲ । ବ୍ରାଜିଲ ଚୀନର ବିଲିୟନ ଡଲାରର ମହତ୍ୱାକାଂକ୍ଷୀ ପ୍ରକଳ୍ପ ବିଆରଆଇରେ ସାମିଲ ହେବାକୁ ଘୋଷଣା କରିଛି । ବ୍ରିକ୍ସ ଦେଶ ସମୂହରେ ଭାରତ ପରେ ବ୍ରାଜିଲ ଦ୍ୱିତୀୟ ଦେଶ ଯିଏ ଏହି ମେଗା ପ୍ରୋଜେକ୍ଟକୁ ସମର୍ଥନ କରିବାକୁ ମନା କରି ଦେଇଛି । ଅନ୍ତର୍ଜାତୀୟ ମାମଲା ପାଇଁ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ପରାମର୍ଶଦାତା ସେଲସୋ ଏମୋରିମ ସୋମବାର କହିଛନ୍ତି, ରାଷ୍ଟ୍ରପତି ଲୁଲା ଦା ସିଲଭା ଚୀନର ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ(ବିଆରଆଇ)ରେ ବ୍ରାଜିଲ ସାମିଲ ହେବ ନାହିଁ । ଏହା ବଦଳରେ ଚାଇନା ନିବେଶକଙ୍କ ସହିତ ଅନ୍ୟ ବିକଳ୍ପ ଉପରେ ବିଚାର କରିବ ।
ବ୍ରାଜିଲର ଖବର କାଗଜରେ ପ୍ରକାଶିତ ଖବର ଅନୁଯାୟୀ, ଅଧିକାରୀ କହିଛନ୍ତି ବ୍ରାଜିଲ ଚୀନ ସହ ସଂପର୍କକୁ ଏକ ନୂତନ ସ୍ତରରେ ନେବାକୁ ଚାହୁଁଛି । ମାତ୍ର ତାଙ୍କ ଦେଶ ଚୀନର କୌଣସି କଣ୍ଟ୍ରାକ୍ଟରେ ଦସ୍ତଖତ କରି ପାରିବ ନାହିଁ । ସେ ସ୍ପଷ୍ଟ କରିଛନ୍ତି ଯେ, ବ୍ରାଜିଲ ଚୀନର ଭିତ୍ତିଭୂମି ଢାଞ୍ଚା ଓ କାରବାର ପ୍ରକଳ୍ପକୁ ବୀମା ପଲିସି ଭାବେ ନେବାକୁ ଚାହେଁ ନାହିଁ । କିନ୍ତୁ ଚୀନ କିଛି ପ୍ରକଳ୍ପ ଉପରେ କହିଲେ ଆମେ ତାହା ଉପରେ ବିଚାର କରି ପାରିବୁ । ବ୍ରାଜିଲର ଏହି ନିଷ୍ପତ୍ତି ଚୀନକୁ ବଡ ଝଟକା ଦେଇପାରେ । ଏହା ପୂର୍ବରୁ ଚୀନର ଯୋଜନା ଥିଲା ଯେ, ରାଷ୍ଟ୍ରପତି ସି ଜିନପିଙ୍ଗ ନଭେମ୍ବର ୨୦ ତାରିଖରେ ବ୍ରାଜିଲର ରାଜଧାନୀ ବ୍ରାସିଲିଆ ଗସ୍ତରେ ବ୍ରାଜିଲକୁ ବିଆରଆଇରେ ସାମିଲ ନେଇ ଆଲୋଚନା କରିବେ । କିନ୍ତୁ ଏହା ପୂର୍ବରୁ ଏହି ପ୍ରୋଜେକ୍ଟରେ ସାମିଲ ହେବାକୁ ମନା କରି ଦେଇଛି ବ୍ରାଜିଲ ।
ବ୍ରାଜିଲବାସୀଙ୍କ ସ୍ପଷ୍ଟ ମତ ଏହା ଯେ, ଚୀନର ଏହି ପ୍ରକଳ୍ପରେ ସାମିଲ ହେଲେ କେବଳ ଯେ ଲାଭ ମିଳିବ ନାହିଁ ତାହା ନୁହେଁ ବରଂ ଡୋନାଲ୍ଡ ଟ୍ରମ୍ପଙ୍କ ଜିତିବାରେ ମଧ୍ୟ ମୁସ୍କିଲ ସ୍ଥିତି ଉପୁଜିପାରେ । ଗତ ସପ୍ତାହରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ବ୍ରାଜିଲର ଅଧିକାରୀ ଚୀନର ଅଧିକାରୀଙ୍କୁ ଭେଟିଥିଲେ । ହେଲେ ଏଥିରେ କୌଣସି ସୁଫଳ ମିଳି ନ ଥିଲା ।
ସୂଚନାଯୋଗ୍ୟ, ବ୍ରିକ୍ସରେ ମୂଳତଃ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ସାମିଲ ଥିଲା । ନିକଟରେ ଇଜିପ୍ଟ, ଇଥିଓପିଆ, ଇରାନ, ସାଉଦି ଆରବ ଓ ୟୁଏଇକୁ ନୂତନ ସଦସ୍ୟ ଭାବେ ସାମିଲ କରାଯାଇଛି । ଭାରତ ପରେ ବ୍ରାଜିଲ ଦ୍ୱିତୀୟ ସଦସ୍ୟ ଦେଶ ଯିଏ ଚୀନର ବିଆରଆଇକୁ ସମର୍ଥନ କରିବାକୁ ମନା କରି ଦେଇଛି ।