ମାଟାଗୋର୍ଡା: ସାମୁଦ୍ରିକ ଝଡ଼ ବେରିଲ ସୋମବାର ଭୋର ସକାଳୁ ଟେକ୍ସାସର ଉପକୂଳବର୍ତ୍ତୀ ସହର ମାଟାଗୋର୍ଟା ଅଞ୍ଚଳରେ ତାଣ୍ଡବ ରଚିଛି। ପବନର ଗତି ଓ ପ୍ରବଳ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଆମେରିକା ରାଷ୍ଟ୍ରୀୟ ବାତ୍ୟା କେନ୍ଦ୍ର (ଏନ୍ଏଚ୍ସି) ପକ୍ଷରୁ କୁହାଯାଇଛି ଯେ, ପାଣିପାଗର ଶ୍ରେଣୀ-୫ ପ୍ରଥମେ କାରିବିଆନର କିଛି ଅଞ୍ଚଳରେ ତାଣ୍ଡବ ରଚିଥିଲା। ଏବେ ଏହା ଆହୁରି ଅଧିକ କ୍ଷତି କରିବାର ଆଶଙ୍କା ଦେଖାଯାଇଛି।
ପବନର ଗତି ଓ ମୁସଲଧାରା ବର୍ଷା କାରଣରୁ ସୋମବାର ଅତିକମରେ ୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ବାତ୍ୟା ଯୋଗୁଁ ଗୁରୁତ୍ବପୂର୍ଣ୍ଣ ତେଲ ପରିବହନ କରୁଥିବା ବନ୍ଦରକୁ ବନ୍ଦ କରିଦିଆଯାଇଛି ଓ ୧୩୦୦ରୁ ଅଧିକ ବିମାନ ଉଡାଣ ସେବା ବାତିଲ କରିଦିଆଯାଇଛି। ଦକ୍ଷିଣ-ପୂର୍ବ ଟେକ୍ସାସରେ ୨୦ ଲକ୍ଷରୁ ଅଧିକ ଘର ଏବଂ ବ୍ୟବସାୟୀ ଅନ୍ଧାରର ଅଛନ୍ତି।
ଗତ ସହପ୍ତାହରେ ବାତ୍ୟା ‘ବେରିଲ’ ଜମାଇକା, ଗ୍ରେନେଡ ଓ ସେଣ୍ଟ ୱିସେଣ୍ଟ ଓ ଗ୍ରେନେଡାଇନ୍ସରେ ବାତ୍ୟା ଉଗ୍ର ରୂପ ଦେଖାଇଥିଲା। ଏଠାରେ ତାଣ୍ଡବ ରଚିଲା ପରେ ଏହା ହ୍ୟୁଷ୍ଟନର ଦକ୍ଷିଣ-ପଶ୍ଚିମରେ ପାଖାପାଖି ୭୦ ମାଇଲ ଦୂରରେ ଘଣ୍ଟା ପିଛା ୧୨ ମାଇଲ ବେଗରେ ଆଗକୁ ବଢୁଛି। ମଙ୍ଗଳବାର ଓ ବୁଧବାର ତଳ ମିସିସିପି ଘାଟି ଓ ପୁଣି ଓହିଓ ଘାଟି ଦିଗରେ ବଢ଼ିବାର ଆଶଙ୍କା କରାଯାଉଛି।