ହୂତି ବିଦ୍ରୋହୀଙ୍କ ଉତ୍ପାତରେ ଅଶାନ୍ତ ଲୋହିତ ସାଗର। ୟେମେନର ଏହି ବିଦ୍ରୋହୀ ମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି ଜାହାଜ। ଆମଦାନୀ-ରପ୍ତାନୀରେ ପଡୁଛି ପ୍ରଭାବ।ଗତ ଏକ ମାସ ମଧ୍ୟରେ ୟେମେନର ରାଜଧାନୀ ସାନା ସିଟିର ଅଧିକାଂଶ ଅଂଚଳକୁ ନିୟନ୍ତ୍ରଣ କରୁଥିବା ଏହି ହୂତି ବିଦ୍ରୋହୀ ମାନେ ପ୍ରାୟ ୧୦୦ରୁ ଅଧିକ ମାଲବାହି ଜାହାଜ କ୍ଷତିଗ୍ରସ୍ତ କରି ସାରିଲାଣି। ଗାଜାରେ ପାଲେଷ୍ଟାନିୟଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିଉତ୍ତରରେ ରଣହୁଙ୍କାର ଦେଇଛନ୍ତି ହୂତି ବିଦ୍ରୋହୀ। ଗାଜା ଉପରେ ହେଉଥିବା ଆକ୍ରମଣର ପ୍ରତିବାଦରେ ୨୦୨୩ ଅକ୍ଟୋବର ମାସ ପରଠାରୁ ହୂତି ବିଦ୍ରୋହୀ ମାନେ ଲୋହିତ ସାଗରରେ ଯାତାୟାତ କରୁଥିବା ସମସ୍ତ ବାଣିଜ୍ୟିକ ଜାହାଜ ଗୁଡିକୁ ଟାର୍ଗେଟ କରୁଛନ୍ତି। ଗାଜାରେ ଆକ୍ରମଣ ବନ୍ଦ ନ ହେବା ଯାଏ ଏହି ବିଦ୍ରୋହ ଜାରି ରହିବ ବୋଲି କହଛନ୍ତି ହୂତି ବିଦ୍ରୋହୀମାନେ। ତେବେ ହୂତି ବିଦ୍ରୋହିମାନନଙ୍କ ଏପରି କାର୍ଯ୍ୟକଳାପ ପାଇଁ ବିଶ୍ୱ ବାଣିଜ୍ୟ କାରବାର ପ୍ରଭାବିତ ହେଉଛି।
ଗତ ଶୁକ୍ରବାର ଦିନ ଭାରତ ଅଭିମୁଖେ ଆସୁଥିବା ପାନାମାର ଅଶୋଧିତ ତୈଳ ବୋଝେଇ ଟ୍ୟାଙ୍କର ଉପରେ ଲୋହିତ ସାଗରରେ କ୍ଷେପଣାସ୍ତ୍ର ଆକ୍ରମଣ କରାଯାଇଛି। ଏହି କ୍ଷେପଣାସ୍ତ୍ର ୟେମେନ ପକ୍ଷରୁ ବନ୍ଦର ପାର୍ଶ୍ୱରେ ଥିବା ଏମ୍/ଟି ପୋଲକ୍ସ ଉପରେ ମାଡ଼ ହୋଇଥିଲା ବୋଲି ଆମେରିକା ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ୟୁନାଇଟେଡ୍ କିଙ୍ଗ୍ଡମ୍ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ (UKMTO) ଏଜେନ୍ସି ଏବଂ ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ସଂସ୍ଥା ଆମ୍ବ୍ରେ କହିଛି ଯେ ୟେମେନର ମୋଖା ବନ୍ଦରଠାରୁ ୧୩୩ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ପାନାମା ପତାକା ଥିବା ଏକ ଟ୍ୟାଙ୍କର ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ତେବେ ଜାହାଜ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା ବେଳେ କର୍ମଚାରୀମାନେ ସୁରକ୍ଷିତ ଥିବା ସୂଚନା ମିଳିଛି। ୟେମେନର ଇରାନ-ସମର୍ଥିତ ହୁତିମାନେ କହିଛନ୍ତି ଯେପର୍ଯ୍ୟନ୍ତ ଇସ୍ରାଏଲ ସେମାନଙ୍କ ବିରୋଧରେ ଅପରାଧ ଜାରି ରଖିବ, ସେପର୍ଯ୍ୟନ୍ତ ସେମାନେ ପାଲେଷ୍ଟାଇନ ପ୍ରତି ସମର୍ଥନ ଜଣାଇ ଲୋହିତ ସାଗରରେ ଜାହାଜ ଉପରେ ଆକ୍ରମଣ ଜାରି ରଖିବେ। ଜାହାଜ ଉପରେ ଆକ୍ରମଣ ବିଶ୍ୱ ବାଣିଜ୍ୟକୁ ବ୍ୟାହତ କରିଛି, ମୁଦ୍ରାସ୍ଫୀତି ଆଶଙ୍କା ସୃଷ୍ଟି କରିଛି ଏବଂ ଇସ୍ରାଏଲ-ହାମାସ ଯୁଦ୍ଧ ବ୍ୟାପିବା ସମ୍ଭାବନା ବଢ଼ିଛି।
ପ୍ରାୟ ୧ ମାସ ପୂର୍ବରୁ ଲୋହିତ ସାଗର ଦେଇ ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହି ଜାହାଜ 'ଗାଲାକ୍ସି ଲିଡର'କୁ ଇସ୍ରାଏଲର ଜାହାଜ ଭାବିନେଇ ହୂତି ମାନେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ଆରବ ସାଗରରେ ଭାରତ ଆସୁଥିବା ଏମ/ଭି କେମି ପୁଲଟୋ ଓ ଲୋହିତ ସାଗରରେ ସାଇ ବାବା ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ଏ ନେଇ ତଦନ୍ତ ଚାଲୁ ରହିଥିବା ବେଳେ ଭାରତୀୟ ନୌସେନା ଆରବ ସାଗରରେ ୩ଟି ଯୁଦ୍ଧପୋତ ଆଇ ଏନ ଏସ ମୋରମୁଗାଓ, ଆଇ ଏନ ଏସ କୋଲକାତା, ଆଇ ଏନ ଏସ କୋଚି ମୁତୟନ କରିଛି।
ଅଧିକ ପଢନ୍ତୁ: ଜ୍ଞାନପୀଠ ପୁରସ୍କାର ୨୦୨୩ ଘୋଷିତ