ଖବର ଓଡିଶା : 12/05/2023
ଟ୍ୱିଟରର ସିଇଓ ପଦରୁ ବିଦାୟ ନେବେ ଏଲନ୍ ମସ୍କ । ଖୁବ୍ ଶୀଘ୍ର ନୂଆ ସିଇଓ ନିଯୁକ୍ତି ହେବେ ବୋଲି ସୂଚନା ମିଳିଛି । ଜଣେ ମହିଳା ସିଇଓ ଟ୍ୱିଟରର ସିଇଓ ପଦ ସମ୍ଭାଳିବେ। ଲିଣ୍ଡା ୟାକାରିନୋଙ୍କୁ ମିଳିବ ଦାୟିତ୍ୱ । ୬ ସପ୍ତାହ ମଧ୍ୟରେ ସେ କାର୍ଯ୍ୟଭାର ସମ୍ଭାଳିବେ ବୋଲି ସୂଚନା ଦେଇଛନ୍ତି ଖୋଦ୍ ଏଲନ୍ ମସ୍କ । ମସ୍କ ସିଇଓ ପଦରୁ ଇସ୍ତଫା ଦେବା ପରେ ଟ୍ୱିଟରର କାର୍ଯ୍ୟକାରୀ ଅଧ୍ୟକ୍ଷ ଭୂମିକା ତୁଲାଇବେ ବୋଲି ସେ ଟ୍ୱିଟ କରି ସୂଚନା ଦେଇଛନ୍ତି l
ଏନ୍ବିସି ୟୁନିଭର୍ସାଲ ଏକଜିକ୍ୟୁଟିଭ୍ ଲିଣ୍ଡା ୟାକାରିନୋଙ୍କୁ ଟ୍ୱିଟର ସିଇଓ ଦାୟିତ୍ୱ ଦିଆଯାଇପାରେ ବୋଲି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି । ଗତବର୍ଷ ଅକ୍ଟୋବରରେ ୪୪ ବିଲିୟନ ଡଲାର ମୂଲ୍ୟରେ ଟ୍ୱିଟରକୁ କ୍ରୟ କରିଥିବା ମସ୍କ ଟ୍ୱିଟରର ଅନେକ ନୀତିରେ ପରିବର୍ତ୍ତନ ଆଣିସାରିଛନ୍ତି । ସିଇଓ ପଦ ଛାଡିବା ପରେ ସେ ଟୁଇଟରର ସଫ୍ଟଓ୍ବେର ଓ ସର୍ଭର୍ସ ଟିମର ନେତୃତ୍ବ ନେବେ ବୋଲି କହିଛନ୍ତି ମସ୍କ । ୪୪ ବିଲିୟନ ଡଲାରରେ ଟ୍ୱିଟରକୁ କିଣିବା ପରଠୁ ଚର୍ଚ୍ଚାରେ ରହି ଆସୁଥିବା ମସ୍କ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଗତ ଡିସେମ୍ବର ମାସରେ ମସ୍କ ଟ୍ୱିଟର ସିଇଓ ପଦ ଛାଡ଼ିବା ନେଇ ତାଙ୍କ ଫଲୋର୍ସଙ୍କର ମତାମତ ଲୋଡ଼ିଥିଲେ। ଏଥିରେ ପ୍ରାୟ ୫୭. ୫% ମସ୍କ ଟ୍ୱିଟରରୁ ଓହରିବା ସପକ୍ଷରେ ମତ ରଖିଥିଲେ। ତେବେ ମସ୍କ ଟ୍ୱିଟରର ସିଇଓ ପଦ ଛାଡ଼ିବା ପରେ କିଏ ଏହି ପଦ ଅକ୍ତିଆର କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।