ନୂଆଦିଲ୍ଲୀ: ମିଆଁମାର ଓ ଥାଇଲାଣ୍ଡରେ ଶୁକ୍ରବାର ଘଟିଥିବା ଶକ୍ତିଶାଳୀ ଭୂକମ୍ପ ଅକଥନୀୟ କ୍ଷତକ୍ଷତି ଘଟାଇଛି । ଦେଶର ପ୍ରଭାବିତ ଅଞ୍ଚଳରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । କୋଠା, ପୋଲ ଓ ଡ୍ୟାମ ସବୁ କିଛି ଭୂକମ୍ପ ଝଟକାରେ ଧ୍ୱଂସସ୍ତୂପ ପାଲଟିଛି । ମିଆଁମାରରେ ଭୂକମ୍ପରେ ଏ ପର୍ଯ୍ୟନ୍ତ ୧୫୦ ଜଣଙ୍କ ମୃତ୍ୟୁ ଘଟିଛି । ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ନିର୍ମାଣଧୀନ କୋଠା ଭୁଶୁଡିବାରୁ ୮ ଜଣଙ୍କ ପ୍ରାଣହାନୀ ଘଟିଛି । ପ୍ରଭାବିତ ସହର ଗୁଡିକରେ ତାଣ୍ଡବଲୀଳା ମଚାଇଛି ଭୂମିକମ୍ପ । ପାଖାପାଖି ୭୩୦ ଜଣ ଆହତ ହୋଇଛନ୍ତି । ସ୍ଥିତିକୁ ଦେଖିଲେ ମୃତକ ଓ ଆହତ ସଂଖ୍ୟା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ।
ମିଆଁମାର ଓ ଥାଇଲାଣ୍ଡରେ ଅପରାହ୍ଣରେ ୭.୭ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ମିଆଁମାରର ଦ୍ୱିତୀୟ ସବୁଠୁ ବଡ ସହର ମାଣ୍ଡଲେ ନିକଟରେ ଥିଲା । ମୁଖ୍ୟ ଝଟକା ପରେ ୬.୪ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା । ମିଆଁମାରର ସୈନ୍ୟ ସରକାର ରାଜଧାନୀ ନେପିତା ଓ ମାଣ୍ଡଲେ ସହିତ ୬ଟି ଅଞ୍ଚଳ ଓ ରାଜ୍ୟରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି । ତେବେ ଦେଶରେ ଦୀର୍ଘ ସମୟ ଧରି ଚାଲିଥିବା ହିଂସାତ୍ମକ ଗୃହ ଯୁଦ୍ଧ କାରଣରୁ ଏହା ସ୍ପଷ୍ଟ ହୋଇ ପାରିନି ଯେ, ପ୍ରଭାବିତ ଅଞ୍ଚଳଗୁଡିକୁ କେମିତି ସହାୟତା ପହଞ୍ଚିଛି ।
ରେଡକ୍ରସ ପକ୍ଷରୁ କୁହାଯାଇଛି ଯେ, ବିଜୁଳି ଯୋଗାଣ ବାଧାପ୍ରାପ୍ତ ହେବା କାରଣରୁ ତାଙ୍କ ଟିମକୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି । ରେଡକ୍ରସ କହିଛି, ପ୍ରାରମ୍ଭିକ ସୂଚନା ଅନୁଯାୟୀ ଭୂକମ୍ପ କାରଣରୁ ବ୍ୟାପକ କ୍ଷୟକ୍ଷତି ଘଟିଛି । ମାନବୀୟ ସହାୟତା ନେଇ ତଥ୍ୟ ସଂଗ୍ରହ କରାଯାଉଛି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।