ଆମେରିକାର ନ୍ୟୁ ଜର୍ସି ଠାରେ ଖୁବ୍ ଶୀଘ୍ର ବିଶ୍ୱର ସର୍ବବୃହତ ଆଧୁନିକ ଯୁଗର ହିନ୍ଦୁ ମନ୍ଦିର ନିର୍ମାଣ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ପାଶ୍ଚାତ୍ୟ ଗୋଲାର୍ଦ୍ଧରେ ହିନ୍ଦୁ ସଂସ୍କୃତି ଏବଂ ସ୍ଥାପତ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୋଲି କୁହାଯାଉଥିବା 'ଅକ୍ଷରଧାମ' ଅକ୍ଟୋବର ୮ ତାରିଖରେ BAPS ଆଧ୍ୟାତ୍ମିକ ମୁଖ୍ୟ ମହନ୍ତ ସ୍ୱାମୀ ମହାରାଜଙ୍କ ନେତୃତ୍ୱରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହେବ ବୋଲି କୁହାଯାଇଛି । ଅକ୍ଟୋବର ୧୮ରୁ ମନ୍ଦିର ପରିଦର୍ଶକମାନଙ୍କ ପାଇଁ ଖୋଲା ରହିବ ବୋଲି ସୂଚନା ମିଳିଛି |
BAPS ସ୍ୱାମୀନାରାୟଣ 'ଅକ୍ଷରଧାମ' ନାମକ ଏହି ମନ୍ଦିର ନ୍ୟୁୟର୍କର ଟାଇମ୍ସ ସ୍କୋୟାରଠାରୁ ପ୍ରାୟ 60 କିଲୋମିଟର ଦୂରରେ ଆଉ ଆମେରିକାର ୱାଶିଂଟନ୍ ଡିସିର ଉତ୍ତରରେ ପ୍ରାୟ ୨୮୯ କିଲୋମିଟର ଦୂରରେ ଅବସ୍ଥିତ | ୧୮୩ ଏକର ଜମିରେ ତିଆରି ହୋଇଛି ଏହି ଭବ୍ୟ ମନ୍ଦିର ପରିସର । ମୁଖ୍ୟ ମନ୍ଦିରର ଦୈର୍ଘ୍ୟ ୨୫୫ ଫୁଟ ହୋଇଥିବାବେଳେ ଓସାର ୩୪୫ ଫୁଟ ରହିଛି। ଏହାର ଉଚ୍ଚତା ହେଉଛି ୧୯୧ ଫୁଟ । ଏହି ମନ୍ଦିର ନିର୍ମାଣ ପାଇଁ ଦୀର୍ଘ ୧୨ ବର୍ଷ ସମୟ ଲାଗିଥିଲା। ୨୦୧୧ରୁ ଆରମ୍ଭ ହୋଇ କିଛି ଦିନ ତଳେ ଶେଷ ହୋଇଛି କାମ।
ପ୍ରାଚୀନ ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଏହି ମନ୍ଦିରକୁ ପରିକଳ୍ପନା କରାଯାଇଛି ଏବଂ ଏଥିରେ ପ୍ରାଚୀନ ଭାରତୀୟ ସଂସ୍କୃତିର ଡିଜାଇନ୍ ଉପାଦାନ ରହିଛି, ଯେଉଁଥିରେ ୧0,000 ପ୍ରତିମୂର୍ତ୍ତି ଓ ଭାରତୀୟ ବାଦ୍ୟଯନ୍ତ୍ରର ଖୋଦିତ ଚିତ୍ର ଏବଂ ନୃତ୍ୟ ରୂପ ରହିଛି। ଅନନ୍ୟ ମନ୍ଦିର ଡିଜାଇନରେ ଗୋଟିଏ ମୁଖ୍ୟ ଶ୍ରୀକ୍ଷେତ୍ର, ୧୨ ଟି ଉପ-ଶ୍ରୀକ୍ଷେତ୍ର, ନଅଟି ଶିଖର ଏବଂ ନଅଟି ପିରାମିଡ୍ ଶିଖର ମଧ୍ୟ ଅନ୍ତର୍ଭୁକ୍ତ | ଭାରତୀୟ କାରୁକାର୍ଯ୍ୟ ଓ ଭାସ୍କର୍ଯ୍ୟରେ ଏହା ପରିପୂର୍ଣ୍ଣ ଅଟେ। ଆମେରିକାରେ ରହୁଥିବା ଭାରତୀୟଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ସ୍ୱେଚ୍ଛାସେବୀ ଏହି ମନ୍ଦିର ନିର୍ମାଣରେ ଶ୍ରମଦାନ କରିଛନ୍ତି । ତେବେ ଆସନ୍ତା ଅକ୍ଟୋବରରେ ଏହାର ଉଦଘାଟନ କରାଯିବ। କୁହାଯାଉଛି ଯେ,କାମ୍ବୋଡିଆରର ବୃହତ୍ତମ ମନ୍ଦିର ପରେ ଏହା ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ମନ୍ଦିର ।
ଅଧିକ ପଢ଼ନ୍ତୁ : ସାଧାରଣତନ୍ତ୍ର ଦିବସରେ ଆମେରିକାର ରାଷ୍ଟ୍ରପତିଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ