ନୂଆଦିଲ୍ଲୀ: ରବିବାର ଅପରେସନ ସ୍ପାଇଡରଓ୍ବେବ ଚଲାଇ ରୁଷକୁ ବଡ଼ ଝଟକା ଦେଇଥିବା ୟୁକ୍ରେନ ତୃତୀୟ ଦିନରେ ପୁଣି ରୁଷ ଉପରେ ବଡ଼ ହମଲା କରିଛି। ପାଣି ତଳେ ବିସ୍ଫୋରଣ କରି ରୁଷ ଓ କ୍ରିମିୟାକୁ ସଂଯୋଗ କରୁଥିବା ପୋଲକୁ ଉଡ଼ାଇଛି ୟୁକ୍ରେନ। ମଙ୍ଗଳବାର ୟୁକ୍ରେନର ସୁରକ୍ଷା ସେବା ଏହି ଦାବି କରିଛି। ୟୁକ୍ରେନ କହିଛି ୧୧୦୦ କିଲୋଗ୍ରାମ ଟିଏନଟି ବିସ୍ଫୋରକ ବ୍ୟବହାର କରି ଏହି ସେତୁକୁ ମଙ୍ଗଳବାର ସକାଳେ ବିସ୍ଫୋରଣ କରି ଉଡ଼ାଇ ଦେଇଛି।
ଏହି ବିସ୍ଫୋରଣରେ ପୋଲର ପାଣି ତଳେ ଥିବା ଖମ୍ବ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ରୁଷର କ୍ରିମିୟା ସହ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଏହି ପୋଲ୍ ରୁଷ ସେନାର ସାମଗ୍ରୀ ଓ ଯୁଦ୍ଧାସ୍ତ୍ର ପରିବହନର ପ୍ରମୁଖ ମାର୍ଗ ଥିଲା। ପୋଲର ତଦାରଖ କରୁଥିବା ଅଧିକାରୀ ଅଧକାରୀ କହିଛନ୍ତି, ପୋଲ ଉପରେ ଗମନାଗମନ ସ୍ଥାନୀୟ ସମୟ ଅନୁସାରେ ସକାଳ ୪ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ତିନି ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା। ହେଲେ କାହିଁକି ପୋଲ୍ ବନ୍ଦ ରଖାଯାଇଥିଲା ତାର କାରଣ ଜଣାଇ ନାହାନ୍ତି। ତେବେ ହମଲା ପରେ ପୋଲକୁ ପୁଣି ଥରେ ଖୋଲା ଯାଇଥିବା ଦେଖିବାକୁ ମିଳିଛି ଏବଂ ଗମନାଗମନ ସ୍ଵାଭାବିକ ହୋଇଛି।
ୟୁକ୍ରେନ ନିଜ ବୟାନରେ କହିଛି, ଏହା ପୂର୍ବରୁ ୨୦୨୨ ଓ ୨୦୨୩ରେ ଦୁଇ ଥର କ୍ରିମିୟା ପୋଲକୁ ଉଡ଼ାଇଥିଲୁ। ଏଥିପାଇଁ ଆଜି ଆମେ ପାଣି ତଳେ ବିସ୍ଫୋରକ ରକି ପୋଲକୁ ଉଡ଼ାଇବାକୁ ପରମ୍ପରା ଜାରି ରଖିଛୁ। ଅନେକ ମାସ ଧରି ଏହି ଅପେରସନର ପ୍ରସ୍ତୁତି କରାଯାଉଥିଲା। ୟୁକ୍ରେନ ଏହ ହମଲାର ଭିଡିଓ ଫୁଟେଜ ସେୟାର କରିଛି, ଯେଉଁଥିରେ ପୋଲର ଖମ୍ବ ମଝିରେ ବିସ୍ଫୋରକ ହେଉଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ରବିବାର ୟୁକ୍ରେନ ସବୁଠୁ ଘାତକ ହମଲା କରି ରୁଷର ୪ ଏୟାରବେସରେ ଥିବା ୪୦ ବିମାନକୁ ଡ୍ରୋନ ହମଲାରେ ଧ୍ଵଂସ କରିଛି। ଏଥିରେ ରୁଷର ପ୍ରାୟ ସାତ ବିଲିୟନ ଡଲାର କ୍ଷତି ଘଟିଛି।