କୋଲକାତା: କୋଲକାତାରେ ବାଂଲାଦେଶୀ ସାଂସଦ ଅନୱାରୁଲ ଅଜୀମ ଅନାରଙ୍କ ହତ୍ୟାକୁ ନେଇ ପ୍ରତିଦିନ ନୂଆନୂଆ ତଥ୍ୟ ଆସୁଛି। ସାଂସଦଙ୍କ ହତ୍ୟାରେ ତାଙ୍କର ବାଲ୍ୟବନ୍ଧୁଙ୍କ ଷଡ଼ଯନ୍ତ୍ରଠୁ ଆରମ୍ଭ କରି ସୁପାରୀ ଏବଂ ହନୀଟ୍ରାପ୍ ପର୍ଯ୍ୟନ୍ତ ଚର୍ଚ୍ଚା ହେଉଛି। ଏବେ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ଯେ, ବାଂଲାଦେଶ ପୁଲିସ ଜଣେ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି। କୁହାଯାଉଛି ଯେ, ସଂପୃକ୍ତ ଏହି ମହିଳାଙ୍କ ମାଧ୍ୟମରେ ସାଂସଦଙ୍କୁ ହନୀଟ୍ରାପ୍ କରାଯାଇଥିଲା। ସଂପୃକ୍ତ ମହିଳା ଜଣକ ବାଂଲାଦେଶୀ ସାଂସଦଙ୍କୁ ଢାକାରୁ କୋଲକାତା ଆଣି ପୁଣି ଆମେରିକା ନେବା ପାଇଁ ଷଡ଼ଯନ୍ତ୍ର କରିଥିଲେ।
ଏହି ମହିଳାଙ୍କ ନାମ ଶିଲାନ୍ତୀ ରହମାନ, ଯିଏକି ବାଂଲାଦେଶୀ ନାଗରିକ ଅଟନ୍ତି। ବାଂଲାଦେଶ ପୁଲିସ ସୂତ୍ର ଅନୁସାରେ ଶିଲାନ୍ତୀ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଅକତାରୁଜମା ଶାହୀନଙ୍କ ପ୍ରେମିକା। ଯେଉଁ ସମୟରେ ସାଂସଦ ଅନୱାରୁଲଙ୍କ ହତ୍ୟା କାରଯାଇଥିଲା, ସେ କୋଲକାତାରେ ଥିଲେ ଏବଂ ଗତ ୧୫ ତାରିଖ ଏହି ହତ୍ୟାକାଣ୍ଡର ମୁଖ୍ୟ ସଂଦୀଗ୍ଧ ହତ୍ୟାକାରୀ ଅମାନୁଲ୍ଲାହ ଅମାନଙ୍କ ସହିତ ଢାକା ଫେରିଯାଇଥିଲେ।
ପୁଲିସ ସୂତ୍ର କହୁଛି, ଅକତାରୁଜମା ସାଂସଦଙ୍କୁ କୋଲକାତା ଡାକିବା ପାଇଁ ଶିଲାନ୍ତୀଙ୍କୁ ହନୀଟ୍ରାପ୍ ଭାବେ ବ୍ୟବହାର କରିଥିଲା। ଏହି ମାମଲାରେ ବାଂଲାଦେଶରେ ଗିରଫ ଅଭିଯୁକ୍ତମାନଙ୍କ ବାୟନ ଆଧାରରେ ଶିଲାନ୍ତୀଙ୍କୁ ଅଟକ ରଖାଯାଇଛି।