ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରଠୁ ପୂରା ସକ୍ରିୟ ହୋଇ ଉଠିଛନ୍ତି । ଟ୍ରମ୍ପ ମେକ୍ସିକୋ, କାନାଡା ପରି ଦେଶରୁ ହେଉଥିବା ଆମଦାନୀ ଉପରେ ୨୫ ପ୍ରତିଶତ ଟାରିଫ ଲଗାଇ ଦେଇଛନ୍ତି । ଏପରିକି ଚୀନ ଉପରେ ଅତିରିକ୍ତ ୧୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ତେବେ ଟ୍ରମ୍ପ ଏତିକିରେ ଅଟକୁ ନାହାନ୍ତି । ତାଙ୍କ କହିବା କଥା ଏବେ ସେ ୟୁରୋପିୟନ ୟୁନିୟନ ଉପରେ ମଧ୍ୟ ଶୀଘ୍ର ଟାରିଫ ଲଗାଇବାକୁ ଯାଉଛନ୍ତି । ଦକ୍ଷିଣ ଆଫ୍ରିକା ପାଇଁ ଫଣ୍ଡରେ ହ୍ରାସ କରିଛି ଆମେରିକା ।
ଟ୍ରମ୍ପ ରବିବାର କହିଛନ୍ତି ଯେ, ଆମେ ୟୁରୋପିୟନ ୟୁନିୟନ ଉପରେ ମଧ୍ୟ ଟାରିଫ ଲଗାଇବୁ କାରଣ ସେମାନେ ଦୀର୍ଘ ସମୟ ଧରି ଆମର ଫାଇଦା ଉଠାଇଛନ୍ତି । କିନ୍ତୁ ଏବେ ଆଉ ସେମିତି ହେବ ନାହିଁ । କେଉଁ ଦିନ ଟାରିଫ ଲାଗୁ ହେବ ଏହାର ନିର୍ଦ୍ଦିଷ୍ଟ ତାରିଖ କହି ପାରିବି ନାହିଁ । କିନ୍ତୁ ଏହା ଶୀଘ୍ର ଲାଗୁ ହେବ । ଆମେରିକା ମୋଟ୍ ୨୭ ଦେଶ ସହିତ ବ୍ୟବସାୟିକ ଘାଟାରେ ରହିଛି । ଏମିତ ଅସନ୍ତୁଳନ ଚାଲି ପାରିବ ନାହିଁ ।
ଟ୍ରମ୍ପଙ୍କ କହିବା କଥା ୟୁରୋପ ଆମର ବହୁତ ଫାଇଦା ଉଠାଇଛି । ଆମ ସହିତ କାରବାର କରି ଆଗକୁ ବଢୁଛି ମାତ୍ର ଆମକୁ କୌଣସି ଲାଭ ମିଳୁନି । ବିଶେଷଜ୍ଞଙ୍କ କହିବା କଥା ଆମେରିକାର ଏହି ନିଷ୍ପତ୍ତିରେ ସମଗ୍ର ଦୁନିଆରେ ଦରବୃଦ୍ଧି ଆହୁରି ବଢିବ । ଆମେରିକାର ଅଭିବୃଦ୍ଧି ଉପରେ ଏହାର ପ୍ରଭାବ ପଡିବ ।
ୟୁରୋପିୟନ ୟୁନିୟନର ପ୍ରତିରକ୍ଷାକୁ ନେଇ ମଧ୍ୟ ଟ୍ରମ୍ପ କହିଛନ୍ତି ଯେ, ୟୁରୋପର ଦେଶଗୁଡିକର ସୁରକ୍ଷା ଆଉ କେତେ ଦିନ ଆମେରିକା ଭରସାରେ ରହିବ । ଏବେ ସେମାନଙ୍କୁ ନିଜର ସୁରକ୍ଷା ବଢାଇବାକୁ ପଡିବ । ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ପଡିବ । ନିଜର ପ୍ରତିରକ୍ଷା ବଜେଟ୍ ବଢାଇବାକୁ ପଡିବ । ୟୁରୋପିୟନ ୟୁନିୟନର କହିବା କଥା ଯଦି ଆମ ଉପରେ କଟକଣା ଲାଗୁ କରାଯାଏ ତେବେ ଆମେ ମଧ୍ୟ ସେହି ଅନୁସାରେ ନିଷ୍ପତ୍ତି ନେବୁ ।