ଶନିବାର ସନ୍ଧ୍ୟାରେ ଡୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ଗୁଳି ବିନିମୟ ପରେ ଆମେରିକାରେ ଆଉ ଏକ ନୂଆ ଗୁଳିକାଣ୍ଡ ମାମଲା ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ବର୍ମିଂଘମର ଏକ ନାଇଟ୍ କ୍ଲବରେ ଗୁଳି ବିନିମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତୀତ ଅନ୍ୟ ଏକ ଗୁଳିକାଣ୍ଡ ଘଟଣାରେ ଜଣେ ଶିଶୁ ସମେତ ତିନି ଜଣ ପ୍ରାଣ ହରାଇଛନ୍ତି। ବର୍ମିଂଘମ ପୋଲିସ ବିଭାଗର ଅଧିକାରୀ କହିଛନ୍ତି ଯେ ରାତି ୧୧ ଟା ପରେ ୨୭ ତମ ଷ୍ଟ୍ରିଟ୍ ରେ ୩୪୦୦ ବ୍ଲକରେ ଥିବା ଏକ ନାଇଟ୍ କ୍ଲବ୍ ବାହାରେ ଏକାଧିକ ଲୋକଙ୍କୁ ଗୁଳିମାରି ହତ୍ୟା କରାଯାଇଛି।
ବର୍ମିଂଘମ ଫାୟାର ଏବଂ ରେସକ୍ୟୁ କର୍ମଚାରୀମାନେ ନାଇଟ୍ କ୍ଲବ ନିକଟରେ ଏକ ରାସ୍ତାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଏବଂ କ୍ଲବ ଭିତରେ ଦୁଇଜଣ ମହିଳାଙ୍କ ମୃତଦେହ ପାଇଥିଲେ। ବର୍ମିଂଘମ ଡାକ୍ତରଖାନାରେ ପ୍ରାୟ ନଅ ଜଣ ଚିକିତ୍ସିତ ହେଉଛନ୍ତି। ଏହାସହ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ପୋଲିସ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତମାନେ ରାସ୍ତାରୁ ନାଇଟ କ୍ଲବରେ ଗୁଳି ଚଳାଇଥିଲେ।
ଦ୍ୱିତୀୟ ଘଟଣାରେ ପୋଲିସ କହିଛି ଯେ ବର୍ମିଂଘମର ୧୭୦୦ ବ୍ଲକ ଇଣ୍ଡିଆନ ସମର ଡ୍ରାଇଭରେ ତିନି ଜଣଙ୍କ ମୃତଦେହ ମିଳିଛି। ଗୁଳିରେ ଆଘାତ ଲାଗି ସମସ୍ତେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ତିନିଜଣଙ୍କ ମୃତଦେହ ଏକ କାର ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛି । ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତରେ ଜାରି ରଖିଛି ।