ନାଇଜେରିଆର କୁରିଗା ଅଞ୍ଚଳରେ ଥିବା ଏକ ସ୍କୁଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଉକ୍ତ ସ୍କୁଲ ଉପରେ ବନ୍ଧୁକଧାରୀମାନେ ଅତର୍କିତ ଆକ୍ରମଣ କରିବା ପରେ ସେଠାରେ ପଢୁଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଅପହରଣ କରିନେଇଛନ୍ତି। ଆକ୍ରମଣକାରୀ ସେହି ପିଲାମାନଙ୍କୁ ଅପହରଣ କରିବା ପାଇଁ ମାତ୍ର ୫ ମିନିଟ୍ ସମୟ ନେଇଥିବା ବେଳେ ସେମାନେ ପିଲାମାନଙ୍କୁ ନେଇ କେଉଁଠି ରଖିଛନ୍ତି ସେ ସମ୍ପର୍କିତ ତଥ୍ୟ ଏପର୍ଯ୍ୟନ୍ତ ମିଳି ପାରିନାହିଁ।
ସୂଚନାଯୋଗ୍ୟ ଯେ, ସଶସ୍ତ୍ର ଗ୍ୟାଙ୍ଗର ଗଡ଼ କୁହାଯାଉଥିବା ଉତ୍ତର-ପଶ୍ଚିମ ନାଇଜେରିଆ ଏବଂ ଇସଲାମିକ ଉଗ୍ରବାଦୀଙ୍କ ମଧ୍ୟରେ ଲାଗି ରହିଥିବା ମତଭେଦ ଯୋଗୁଁ ଏପରି ଘଟଣା ଘଟିଛି। ନାଇଜେରିଆର କୁରିଗା ଅଞ୍ଚଳରେ ଥିବା ଏକ ସ୍କୁଲରେ ଆକ୍ରମଣ କରିବା ପରେ ସେଠାରେ ପଢୁଥିବା ପ୍ରାୟ ୩୦୦ ଛାତ୍ରଛାତ୍ରୀଙ୍କୁ ଅପହୃତ କରିନିଆ ଯାଇଛି । ତେବେ ଅପହୃତ ହୋଇଥିବା ଶିଶୁଙ୍କ ମଧ୍ୟରୁ ୧୦୦ ଜଣଙ୍କ ବୟସ ୧୨ ବର୍ଷ ରୁ କମ୍ ବୋଲି ସୂଚନା ମିଳିଛି।
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହର ଅପହରଣ ପରେ ନାଇଜେରିଆର କୁରିଗାରେ ଏହା ହେଉଛି ତୃତୀୟ ଗଣ ଅପହରଣ। ତେବେ କ୍ରମାଗତ ଭାବେ ହୋଇଥିବା ଏହି ତିନୋଟି ଗଣ ଅପହରଣ ଘଟଣା ପାଇଁ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ନିଜକୁ ଦାୟୀ କରିନାହାନ୍ତି। ଏହା ପୂର୍ବରୁ ଉତ୍ତର-ପଶ୍ଚିମ ରାଜ୍ୟ ସୋକୋଟୋର ଏକ ବିଦ୍ୟାଳୟରୁ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ଏକ ଗ୍ୟାଙ୍ଗ ୧୫ ଜଣ ପିଲାଙ୍କୁ ଅପହରଣ କରି ନେଇଥିଲେ। ସେହିପରି ପରବର୍ତ୍ତୀ ସମୟରେ ଦ୍ଵିତୀୟ ଥର ପାଇଁ ଉତ୍ତର-ପୂର୍ବ ବୋର୍ନୋ ରାଜ୍ୟର ୨୦୦ ଜଣ ଙ୍କୁ ଅପହରଣ କରାଯାଇଥିଲା। ଏଥିରେ ଅଧିକାଂଶ ମହିଳା ଏବଂ ଶିଶୁ ଥିଲେ। ପୁଣି କୁରିଗା ଅଞ୍ଚଳରେ ଥିବା ସ୍କୁଲର ୩୦୦ ଛାତ୍ରଛାତ୍ରୀଙ୍କୁ ଅପହରଣ କରିବା ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ତେବେ ଅପହରଣକାରୀମାନେ ଛାତ୍ରଛାତ୍ରୀଙ୍କୁ ନେଇ କେଉଁଆଡେ ଯାଇଛନ୍ତି କିମ୍ବା ଲୁଚିକି ରହିଛନ୍ତି ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନଥିବା ବେଳେ ପରିବାର ଲୋକେ ଅତ୍ୟନ୍ତ ଆତଙ୍କିତ ଏବଂ ଚିନ୍ତିତ ଅଛନ୍ତି।
ଅଧିକ ପଢନ୍ତୁ: ସପ୍ତମ ବୌଦ୍ଧ କପ୍ କ୍ରିକେଟ୍ ଉଦଯାପିତ: ସମ୍ବଲପୁର ଚମ୍ପିୟାନ