ନୂଆଦିଲ୍ଲୀ: ବୁଧବାର ଭୋର ସମୟରେ ନେପାଳରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି | ଏହି ଭୂମିକମ୍ପରେ 5ଜଣ ଗୁରୁତର ହୋଇଥିବା ବେଳେ 6 ଜଣଙ୍କର ଜୀବନ ହାନି ଘଟିଛି | ମୃତକମାନେ ହେଲେ ପଶ୍ଚିମ ନେପାଳର ଦୋତି ଜିଲ୍ଲାର। ଭୂମିକମ୍ପ ପ୍ରଭାବରେ ଭିନ୍ନ ସ୍ଥାନରେ ପ୍ରାୟ 12 ଘର ଭୁଶୁଡ଼ି ପଡ଼ିଥିବାରୁ ନେପାଳ ସେନା ଉକ୍ତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
ଗତ 24 ଘଣ୍ଟା ଭିତରେ ନେପାଳର ଦୋତି ଜିଲ୍ଲାରେ 2 ଥର ଭୂ-କମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ମାତ୍ରାଥିଲା 6.3 ଏବଂ ଏହା ପ୍ରଭାବରେ ଭାରତର ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ବି ଥରି ଉଠିଛି। ରାତି ପ୍ରାୟ 1.57 ମିନିଟରେ ଅନୁଭୂତ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳ ଥିଲା ବୋଲି ରାଷ୍ଟ୍ରୀୟ ଭୂ-କମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।ଏହାର ଝଟକାରେ 10 କିମି ବ୍ୟାପୀ ଅଞ୍ଚଳ ଥରି ଉଠିଥିଲା। ତେବେ ଗତ ଦୁଇଦିନ ଭିତରେ ଏହା ଥିଲା ତୃତୀୟ ଭୂ-କମ୍ପ। ଭାରତରେ ଏହାର ତୀବ୍ରତା ସେତେ ନଥିଲେ ମଧ୍ୟ ଲୋକେ ଭୟରେ ପଦାକୁ ଚାଲିଆସିଥିଲେ |
ଖାଲି ସେତିକି ନୁହେଁ, ଆଜି ସକାଳ 6.27ରେ ଉତ୍ତରାଖଣ୍ଡର ପିଥୌରାଗଢ଼ରେ 4.3 ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି।