ଇନ୍ଦୋର: ଛିନ୍ଦୱାଡ଼ାରେ ୯ ଜଣ ଶିଶୁଙ୍କ ଆକସ୍ମିକ ମୃତ୍ୟୁ ହେବା ପରେ ମଧ୍ୟ ପ୍ରଦେଶ ସରକାର କାଶ ଔଷଧ ବା କଫ୍ ସିରପ୍ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କୋଲ୍ଡରିଫ୍ (Coldrif) କଫ୍ ସିରପ୍ ବିକ୍ରିକୁ ସମ୍ପୂର୍ଣ୍ଣ ନିଷେଧ କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ ଏଥିରେ ଦୋଷୀ ଥିବେ କାହାରିକୁ ଛଡ଼ା ଯିବ ନାହିଁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଯାଦବ ।
ମୁଖ୍ୟମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ଛିନ୍ଦୱାଡ଼ାରେ କୋଲ୍ଡରିଫ୍ ସିରଫ କାରଣରୁ ହୋଇଥିବା ଶିଶୁ ମୃତ୍ୟୁ ଅତ୍ୟନ୍ତ ଦୁଃଖଦ । ମଧ୍ୟପ୍ରଦେଶରେ ଏହି ସିରପ୍ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯାଇଛି । ଏହା ସହିତ ଏହି କମ୍ପାନୀର ଅନ୍ୟ ମେଡ଼ିସିନ୍ ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । ଏହି କଫ୍ ସିରପ୍ ବନାଉଥିବା କମ୍ପାନୀ ତାମିଲନାଡ଼ୁର କାଞ୍ଚିପୁରମରେ ଅଟେ । ସେଥିପାଇଁ ରାଜ୍ୟ ସରକାର ତାମିଲନାଡ଼ୁ ସରକାରଙ୍କ ସହିତ ଆଲୋଚନା କରି ଯାଞ୍ଚ ପାଇଁ କହିଥିଲେ । ଶନିବାର ସକାଳେ ଯାଞ୍ଚ ରିପୋର୍ଟ ହସ୍ତଗତ ହେବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୋଷୀମାନଙ୍କୁ ଧରିବାକୁ ସ୍ଥାନୀୟ ଅଧିକାରୀଙ୍କୁ ନେଇ ଟିମ୍ ଗଠନ କରାଯାଇଛି ।
ଛିନ୍ଦୱାଡ଼ା ପ୍ରଶାସନ ପକ୍ଷରୁ କୋଲ୍ଡରିଫ୍ ଏବଂ ନେକ୍ସଟ୍ରୋ-ଡିଏସ୍ ସିରପକୁ ଜିଲ୍ଲାର ପ୍ରତିବନ୍ଧକ ପୂର୍ବରୁ ଲଗାଯାଇଥିଲା । ବର୍ତ୍ତମାନ ରାଜ୍ୟ ସ୍ତରରେ ଏହି କଟକଣା ଲାଗୁ କରାଯାଇଛି ।
ଛିନ୍ଦୱାଡ଼ା ଜିଲ୍ଲାରେ ଭାଇରାଲ ଜ୍ୱର ବେଳେ ହେଉଥିବା କାଶ ପାଇଁ ସ୍ଥାନୀୟ ଡାକ୍ତରମାନେ ଲେଖିଥିବା କଫ୍ ସିରପ୍ ଖାଇବା ପରେ ଅନେକ ଶିଶୁଙ୍କ ପ୍ରାଣ ଯାଇଛି । ମୃତ ଶିଶୁ ହେଲେ ଶିବମ, ବିଧି, ଅଦନାନ, ଉସୈଦ, ଋଷିକା, ହେତାଂଳ, ବିକାଶ, ଚଞ୍ଚଲେଶ ଏବଂ ସନ୍ଧ୍ୟା । ଜିଲ୍ଲାସ୍ତରରେ ୧୪୦୦ ଶିଶୁଙ୍କ ପରୀକ୍ଷା ଜାରି ରହିଛି ।