ବିଶ୍ବ ଯକୃତ ଦିବସ: ସଜାଗ ରୁହନ୍ତୁ, ନିୟମିତ ଯକୃତର ଯାଞ୍ଚ କରାନ୍ତୁ
Khabar Odisha:World-Liver-Day-19-April-2023--Measures-for-Healthy-Liver
ଭୁବନେଶ୍ୱର, ଏପ୍ରିଲ ୧୯ (ଖବର ଓଡିଶା)

ସମଗ୍ର ପୃଥିବୀରେ ଆଜିର ଦିନକୁ ‘ବିଶ୍ବ ଯକୃତ ଦିବସ’ ରୂପେ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ମସ୍ତିଷ୍କ ପରେ ଯକୃତ ହେଉଛି ଆମ ଶରୀରର ଦ୍ବିତୀୟ ବୃହତ୍ତମ ତଥା ଦ୍ବିତୀୟ ସର୍ବାଧିକ ଜଟିଳ ପ୍ରତ୍ୟଙ୍ଗ। ଏହା ଆମ ଶରୀରରେ ପାଚନ କ୍ରିୟା, ରୋଗପ୍ରତିରୋଧକତା ବୃଦ୍ଧି ସମେତ ଶରୀରରେ ପୋଷକ ତତ୍ତ୍ବର ସଞ୍ଜୟ ସହ ଜଡ଼ିତ ଅନେକ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହାର ଅନୁପସ୍ଥିତି ବା ନିଷ୍କ୍ରିୟତା ଯୋଗୁଁ ଶରୀରର ତନ୍ତୁଗୁଡ଼ିକ ଶକ୍ତି ଓ ପୋଷକ ତତ୍ତ୍ବର ଅଭାବରୁ ଶୀଘ୍ର ମରିଯାଇଥା’ନ୍ତି। ଯକୃତର ଉତ୍ତମ ଯତ୍ନ ନନେଲେ ତାହା ସହଜରେ ନଷ୍ଟ ହୋଇଯାଇଥାଏ। ତେଣୁ ଯକୃତ ପରି ଏକ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ ସହ ଜଡ଼ିତ ବିଭିନ୍ନ ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି ପାଇଁ ଏପରି ଯକୃତ ଦିବସ ପାଳିତ ହେଉଛି। ଯକୃତ ରୋଗ କହିଲେ ଯାଧାରଣତଃ ଏଭଳି ଅବସ୍ଥାକୁ ବୁଝାଏ ଯାହା ଯକୃତକୁ ନଷ୍ଟ କରିଦେବା ସହ ତାହାକୁ ତାହାର ସ୍ବାଭାବିକ କାର୍ଯ୍ୟ କରାଇ ଦେଇନଥାଏ। ଏକ ଆକଳନ ଅନୁଯାୟୀ, ସାରା ବିଶ୍ବରେ ପ୍ରତିବର୍ଷ ପ୍ରାୟ ୨୦ ଲକ୍ଷ ଲୋକଙ୍କର ଯକୃତ ସହ ଜଡ଼ିତ ରୋଗରେ ମୃତ୍ୟୁ ଘଟୁଛି।

ଅପରପକ୍ଷରେ ଯଦିଓ ଯକୃତର ସ୍ବ-ନିରାମୟତା ବଜାୟ ରଖିବା ପରି ଅନନ୍ୟ ବୈଶିଷ୍ଟ୍ୟ ରହିଛି, ଅର୍ଥାତ୍ ଏହା ୬୦ରୁ ୭୦ ପ୍ରତିଶତ ଯାଏ କ୍ଷତିଗ୍ରସ୍ତ ହେବା ପରେ ମଧ୍ୟ ପୁନର୍ବାର ବଢ଼ିପାରେ ବା ପୁଣି ଥରେ ସୃଷ୍ଟି ହେବାର ଦକ୍ଷତା ରଖିଛି, ତେବେ ଏଥିରେ କୌଣସି ଅସ୍ବାଭାବିକତା ହିଁ ଗୁରୁତର ସ୍ବାସ୍ଥ୍ୟ ସଂକଟ ସୃଷ୍ଟି କରିଥାଏ। ତେଣୁ ବିଶେଷ କରି ଯକୃତ ରୋଗର ଗମ୍ଭୀରତା, ପ୍ରାରମ୍ଭିକ ଚିହ୍ନଟ ଏବଂ ନିରାକରଣ ବାବଦରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏଭଳି ଦିବସ ପାଳନକୁ ମାଧ୍ୟମ କରାଯାଇଛି। ଚଳିତ ବର୍ଷ ଏହି ଦିବସ ପାଳନର ମୁଦ୍ଦା ହେଉଛି, 'ସଜାଗ ରୁହନ୍ତୁ ଏବଂ ନିୟମିତ ଯକୃତର ଟିକିନିଖି ଭେଷଜ ଯାଞ୍ଚ କରାନ୍ତୁ'। କାରଣ ପୃଥୁଳ ଯକୃତ(ଫ୍ୟାଟ୍ଟି ଲିଭର) ଯେ କୌଣସି ବ୍ୟକ୍ତିକୁ ପ୍ରଭାବିତ କରିପାରେ। ତେବେ ଯକୃତ ସମସ୍ୟା ସାଧାରଣତଃ ମଣିଷର ଖାଦ୍ୟପେୟର ଅନିୟମିତତା ଓ ରାସାୟନିକ ମିଶ୍ରିତ ଖାଦ୍ୟର ଅତ୍ୟଧିକ ସେବନ ଯୋଗୁଁ ହୋଇଥାଏ, ତେଣୁ ଏଥିପ୍ରତି ସତର୍କ ଓ ଯତ୍ନବାନ ହେବା ନିହାତି ଆବଶ୍ୟକ । 

Subscribe

National International State Sports Entertainment