ବ୍ୟାପୁଛି ମସ୍ତିଷ୍କ ଜ୍ୱର ! ବାଲେଶ୍ୱର ଜିଲ୍ଲା ସୋର ପୁରୁବାଇ କନ୍ୟାଶ୍ରମର ଛାତ୍ରୀଙ୍କୁ ହୋଇଛି ମସ୍ତିଷ୍କ ପ୍ରଦାହ ଅର୍ଥାତ୍ ମସ୍ତିଷ୍କ ଜ୍ୱର। ଘୁଷୁରୀ ଓ ମଶା ଦ୍ୱାରା ଏହି ଜ୍ୱର ବ୍ୟାପୁଥିବା ଅନୁମାନ କରାଯାଉଛି। ପ୍ରାୟ ୩ ଦିନ ପୂର୍ବେ ଏହି କନ୍ୟାଶ୍ରମର ଜଣେ ଛାତ୍ରୀଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ହୋଇଥିବା ବେଳେ ଏବେ କନ୍ୟାଶ୍ରମର ୨୬ ଜଣ ଅନ୍ତେବାସିନୀଙ୍କ ମଧ୍ୟରୁ ୫ ଛାତ୍ରୀ ଏଥିରେ ଆକ୍ରାନ୍ତ ହୋଇ ବାଲେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସେପଟେ ଏ ରୋଗ ସେଠାରେ ବ୍ୟାପିବାର କାରଣ ସମ୍ପର୍କରେ ଜାଣିବା ଏବଂ ତାର ମୁକାବିଲା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ସେପଟେ ସୋର ପୁରବାଇ କନ୍ୟାଶ୍ରମରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଓ ୨୯ଜଣ ଅସୁସ୍ଥ ହେବା ଘଟଣାରେ ଗତକାଲି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ଆଶ୍ରମ ଓ ଡାକ୍ତରଖାନାରେ ପହଞ୍ଚି ଘଟଣାର ତଦାରଖ କରିଛନ୍ତି। ଖବର ଅନୁସାରେ ଗତ ଶୁକ୍ରବାର କନ୍ୟାଶ୍ରମରେ କିଛି ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲୋ ଜ୍ୱର ସହ ବାନ୍ତି ହେବାରୁ ପ୍ରାୟ ୨୫ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରୁ ସମସ୍ତଙ୍କ ରକ୍ତ ପରୀକ୍ଷା ନିମନ୍ତେ ପଠାଯାଇଥିଲା। ୫ ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଅନ୍ୟମାନଙ୍କର ନେଗେଟିଭ ଆସିଥିଲା। ଉକ୍ତ ଘଟଣା ପରେ ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ଓ ଶିଶୁ ମଙ୍ଗଳ କମିଟି ଓ ସ୍ଥାନୀୟ ପ୍ରଶାସନ ଆଶ୍ରମରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଏକ ଡ଼ାକ୍ତରି ଟିମ ପହଞ୍ଚି ଅନ୍ତେବାସୀଙ୍କ ସ୍ବାସ୍ଥ୍ୟ ପରିକ୍ଷା କରିଥିଲେ। ପରେ ୨୬ ଜଣ ଅନ୍ତେବାସୀଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ମଧ୍ୟ ସନ୍ଧ୍ୟାରେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣକୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା।