ମୁମ୍ବାଇ, ଜାନୁଆରୀ ୮(ଖବର ଓଡ଼ିଶା): ବର୍ତ୍ତମାନ କରୋନା ମହାମାରୀର ଘାତକ ଭ୍ୟାରିଆଣ୍ଟ ପୁରା ଦେଶରେ ତୃତୀୟ ଲହରର କାରଣ ପାଲଟିଥିବା ବେଳେ କରୋନା ବିରୋଧରେ ପ୍ରମୁଖ ଅସ୍ତ୍ର ତଥା କରୋନା ଟିକା ଓମିକ୍ରନ୍ ଉପରେ କେତେ ପ୍ରଭାବୀ ତାକୁ ନେଇ ଜାରି ରହିଛି ବାକ୍ ବିତଣ୍ଡା ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଟିକା ନେବାକୁ ବାରମ୍ବାର ସତର୍କ କରାଉଥିବା ସମୟରେ ଏବେବି ଏମିତି ଅନେକ ଗୋଷ୍ଠି ରହିଛନ୍ତି ଯେଉଁମାନେ ଟିକା ନେବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି । ତେବେ ଏଭଳି ସ୍ଥିତିରେ ମୁମ୍ବାଇରୁ ଆସିଛି ଏକ ଚିନ୍ତାଜନକ ଖବର ଯାହା ଏବେ ଟିକା ନେଇ ନଥିବା ଲୋକଙ୍କ ଚିନ୍ତା ବଢାଇଛି ।
ଦ୍ୱିତୀୟ ଲହର ଭଳି ତୃତୀୟ ଲହର ମଧ୍ୟ ମୁମ୍ବାଇରେ ଆତଙ୍କ ଖେଳାଇ ରଖିଥିବା ବେଳେ ଅକ୍ସିଜେନ୍ ସପୋର୍ଟରେ ବଢିଛି ରୋଗୀଙ୍କ ସଂଖ୍ୟା । ତେବେୁ ସୁବଠାରୁ ଚିନ୍ତାଜନକ ତଥ୍ୟ ହେଉଛି ମୁମ୍ବାଇରେ ଅକ୍ସିଜେନ୍ ସପୋର୍ଟରେ ରହିଥିବା କରୋନା ରୋଗୀଙ୍କ ମଧ୍ୟରୁ ୯୬ ପ୍ରତିଶତ ଲୋକ କରୋନା ଟିକା ନେଇ ନାହାନ୍ତି । ଯାହା ଏବେ ପୁରା ଦେଶରେ ଟିକା ନେଇ ନଥିବା ଲୋକଙ୍କୁ ସତର୍କ କରାଇଦେଇଛି।
ପୂର୍ବରୁ ଯାହା ଆକଳନ କରାଯାଉଥିଲା ଯେ କରୋନା ଟିକା ନେବା ଦ୍ୱାରା ସିଭିୟରିଟି କମ୍ ରହିବ ତାହା ବର୍ତ୍ତମାନ ମୁମ୍ବାଇର କରୋନା ସ୍ଥିତିରୁ ସ୍ପଷ୍ଟ ହେଉଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି ।